ଶେଷ ସର୍ବୋତ୍ତମ ଆଶା

ଇଂ. ମାୟାଧର ସ୍ବାଇଁ

ବର୍ତ୍ତମାନ ପୃଥିବୀର ପରିବେଶଗତ ବଡ଼ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଏଥିପାଇଁ ମନୁଷ୍ୟ ହିଁ ଦାୟୀ, ଏଥିରେ କୌଣସି ସନ୍ଦେହ ନାହିଁ। ଜଳବାୟୁ ସଂକ୍ରାନ୍ତୀୟ ଆନ୍ତଃ ସରକାରୀ ପରିଷଦ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଏହାକୁ ସ୍ପଷ୍ଟ ରୂପେ ଉଲ୍ଲେଖ କରିଛି। ବିଶ୍ୱ ତାପନ ବୃଦ୍ଧି ପାଇଁ ଦାୟୀ ସବୁଜଗୃହ ଗ୍ୟାସ୍‌ଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳ ହେଉଛି ମୁଖ୍ୟ। ଏହା ମୁଖ୍ୟତଃ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଅନ୍ୟ କଳକାରଖାନାରେ କୋଇଲା ଦହନ ଯୋଗୁ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାକୁ ହେଲେ ବାୟୁମଣ୍ଡଳକୁ ଶୂନ-କାର୍ବନ୍‌ ଉତ୍ସର୍ଜନ ଆବଶ୍ୟକ। ଅର୍ଥାତ୍‌ ଆମେ ଯେତିକି ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଉତ୍ସର୍ଜନ କରିବା, ତାହା ଉଦ୍ଭିଦ ଜଗତ ଓ ଜଳରାଶି ଦ୍ୱାରା ଅବଶୋଷିତ ହୋଇଯାଉଥିବ। ଏଠାରେ କୋଇଲାକୁ ନେଇ ସମସ୍ୟା ହେଉଛି। ଅନେକ ଦେଶରେ ଏହା ହେଉଛି ମୁଖ୍ୟ ଶକ୍ତି ଉତ୍ସ। ଉଦାହରଣ ସ୍ବରୂପ, ଆମ ଦେଶରେ ଉତ୍ପାଦିତ ମୋଟ ବିଦ୍ୟୁତ୍‌ର ପ୍ରାୟ ୫୮ ପ୍ରତିଶତ କୋଇଲାରୁ ଆସୁଛି। କୋଇଲା ଅଧିକାଂଶ ଦେଶରେ ପ୍ରଚୁର ପରିମାଣରେ ଓ ସୁଲଭ ମୂଲ୍ୟରେ ଉପଲବ୍‌ଧ। ଏଣୁ ଏହା ଉପରେ ଅଙ୍କୁଶ ଲଗାଇଲେ ଏହା ଦେଶର ଡିଜିପି ଓ ଅର୍ଥନୀତିକୁ ପ୍ରଭାବିତ କରିବ। ଏଥିପାଇଁ କେତେକ ଦେଶ କୋଇଲାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ବିଶେଷକରି ଅଧିକ କାର୍ବନ୍‌ ଉତ୍ସର୍ଜନକାରୀ ଦୁଇ ଦେଶ ଭାରତ ଓ ଚାଇନା ପାଇଁ ଏହା ହେଉଛି ଚିନ୍ତାଜନକ।
୨୦୧୫ ମସିହାରେ ପ୍ୟାରିସ୍‌ ରାଜିନାମାରେ ବିଶ୍ୱ ତାପମାନ ବୃଦ୍ଧିକୁ ଏହି ଶତାବ୍ଦୀ ଶେଷ ସୁଦ୍ଧା ଦୁଇ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ପାଇଁ ଏବଂ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ପାଇଁ ଚେଷ୍ଟା କରିବାକୁ ସମସ୍ତ ଦେଶ ରାଜି ହୋଇଥିଲେ। ଏଥିପାଇଁ ପ୍ରତ୍ୟେକ ଦେଶ ସ୍ବେଚ୍ଛାରେ କାର୍ବନ ଉତ୍ସର୍ଜନ ହ୍ରାସ କରିବା ପାଇଁ ଘୋଷଣା କରିଥିଲେ। ଏହି ରାଜିନାମାକୁ ଦକ୍ଷ ଭାବେ କାର୍ଯ୍ୟକାରୀ କରିବାପାଇଁ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ତାପନ ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ପାଇଁ ୨୦୫୦ ମସିହା ସୁଦ୍ଧା ଶୂନ-କାର୍ବନ ଉତ୍ସର୍ଜନ ନିହାତି ଦରକାର ବୋଲି ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାକୁ ଗ୍ଲାସ୍‌ଗୋ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ସଂଘ ୨୦୫୦ ମସିହା ସୁଦ୍ଧା ଏହା ହାସଲ କରିବା ପାଇଁ ଘୋଷଣା କରିଥିବାବେଳେ ଚାଇନା, ରୁଷିଆ ଓ ସଉଦି ଆରବ ୨୦୬୦ ସୁଦ୍ଧା ଏହାକୁ ହାସଲ କରିବା ପାଇଁ ଘୋଷଣା କରିଛନ୍ତି। ଗ୍ଲାସ୍‌ଗୋ ସମ୍ମିଳନୀରେ ଯୋଗଦେଇ ଭାରତର ପ୍ରଧାନମନ୍ତ୍ରୀ ୨୦୭୦ ମସିହା ସୁଦ୍ଧା ଭାରତ ଶୂନ୍‌-କାର୍ବନ୍‌ ଉତ୍ସର୍ଜନ ହାସଲ କରିବ ବୋଲି କହିଛନ୍ତି।
ଅଙ୍ଗାରକାମ୍ଳ ବ୍ୟତୀତ ଜଳବାୟୁ ପରିବର୍ତ୍ତନର ଅନ୍ୟ ଦୁଇ ପ୍ରମୁଖ କାରଣ ହେଉଛି ଜଙ୍ଗଲ କ୍ଷୟ ଓ ମିଥେନ୍‌ ଗ୍ୟାସ୍‌ ଉତ୍ସର୍ଜନ। ୨୦୩୦ ସୁଦ୍ଧା ଜଙ୍ଗଲ କ୍ଷୟ ବନ୍ଦ କରିବା ପାଇଁ ଗ୍ଲାସ୍‌ଗୋ ସମ୍ମିଳନୀରେ ଯୋଗ ଦେଇଥିବା ଶହେଟି ଦେଶର ନେତା ପ୍ରତିଶ୍ରୁତି ଦେଇଛନ୍ତି। ପୃଥିବୀରେ ୮୫ ପ୍ରତିଶତ ଜଙ୍ଗଲ ଥିବା ବ୍ରାଜିଲ, ଇଣ୍ଡୋନେସିଆ ଓ କଙ୍ଗୋ ଆଦି ଦେଶ ଏହାକୁ ସମର୍ଥନ କରିଛନ୍ତି। ସେହିପରି ୨୦୩୦ ସୁଦ୍ଧା ମିଥେନ୍‌ ଗ୍ୟାସ୍‌ ଉତ୍ସ ଦିନକୁ ଦିନ ୨୦୨୦ ମସିହା ତୁଳନାରେ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ଅଧିକାଂଶ ମିଥେନ୍‌ ଧାନକ୍ଷେତ ଓ ଗୋରୁମାନଙ୍କ ଠାରୁ ନିର୍ଗତ ହୋଇଥାଏ। ଏଣୁ ଏହାର ନିୟନ୍ତ୍ରଣ ପାଇଁ କୌଣସି ଦେଶ ଗୁରୁତ୍ୱ ଦେଇ ନ ଥାଆନ୍ତି।
ଭାରତ ହେଉଛି ବିଶ୍ୱର ଷଷ୍ଠ ଅର୍ଥନୀତି ସମୃଦ୍ଧ ଓ ଚତୁର୍ଥ ଶ୍ରେଷ୍ଠ କାର୍ବନ ଉତ୍ସର୍ଜନକାରୀ ଦେଶ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତରେ ଅନୁଭୂତ ହେଲାଣି। ଭାରତ ଆରମ୍ଭରୁ ପ୍ୟାରିସ୍‌ ରାଜିନାମାକୁ ସମର୍ଥନ କରିଆସିଛି। କିନ୍ତୁ ଆମର ମୁଖ୍ୟ ଶକ୍ତି ଉତ୍ସ ହେଉଛି କୋଇଲା । ଏହାର ନିୟନ୍ତ୍ରଣ ଭାରତର ଅର୍ଥନୀତି ଉପରେ ପଡିବ। ତଥାପି ୨୦୭୦ ମସିହା ସୁଦ୍ଧା ଶୂନ୍‌ କାର୍ବନ ଉତ୍ସର୍ଜନ ପାଇଁ ଭାରତ ପ୍ରତିଶ୍ରୁତି ଦେଇଛି। ଏହା ସହିତ ଭାରତ ଅନ୍ୟ କେତୋଟି ଉଲ୍ଲେଖନୀୟ ଘୋଷଣା କରିଛି। ଭାରତ ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନରୁ ପାଞ୍ଚଶହ ଗିଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି ଏବଂ ଏହା ମୋଟ ବିଦ୍ୟୁତ୍‌ ଉତ୍ପାଦନର ଅଧା ହେବ। ପ୍ରଧାନମନ୍ତ୍ରୀ ପୁନଶ୍ଚ ଘୋଷଣା କରିଛନ୍ତି ଯେ ଭାରତ ବର୍ତ୍ତମାନ ଓ ୨୦୩୦ ମସିହା ମଧ୍ୟରେ ୧ ବିଲିୟନ୍‌ ଟନ୍‌ କାର୍ବନ ଉତ୍ସର୍ଜନ ହ୍ରାସ କରିବ ଏବଂ ସେହି ବର୍ଷ ସୁଦ୍ଧା ଏହା ଅର୍ଥନୀତିରେ ୪୫ ପ୍ରତିଶତ କାର୍ବନ ଇଣ୍ଟେନ୍‌ସିଟି ହ୍ରାସ କରିବ। ଏହା ସହିତ ଯେଉଁ ବିକଶିତ ଦେଶଗୁଡିକ ଯୋଗୁ ଆଜିର ଏହି ସମସ୍ୟା ଉପୁଜିଛି, ସେମାନେ ବିକାଶଶୀଳ ଦେଶଗୁଡିକୁ ଜଳବାୟୁ ସଂକ୍ରାନ୍ତୀୟ ପଦକ୍ଷେପ ନେବା ପାଇଁ ଆର୍ଥିକ ସାହାଯ୍ୟ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବିକଶିତ ଦେଶଗୁଡିକ ସେମାନଙ୍କ ‘ଜିଡିପି’ର ଅତି କମ୍‌ରେ ଏକ ପ୍ରତିଶତ ଅର୍ଥ ବିକାଶଶୀଳ ଦେଶଗୁଡିକର ସବୁଜ ପ୍ରକଳ୍ପଗୁଡିକୁ ଅନୁଦାନ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଗ୍ଲାସ୍‌ଗୋ ସମ୍ମିଳନୀରେ ଅନେକ ରାଷ୍ଟ୍ରମୁଖ୍ୟ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଏହାକୁ ମନୁଷ୍ୟ ସମାଜ ଦେହରେ ବନ୍ଧା ଯାଇଥିବା ‘ପ୍ରଳୟ ଉପକରଣ’ କହିଛନ୍ତି। ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ପ୍ରକାଶ କରିଛନ୍ତି ଯେ ଲୋକମାନେ ନିଜ ସମାଧି ଖୋଳୁଛନ୍ତି। ବାର୍ବାଡୋସ୍‌ର ପ୍ରଧାନମନ୍ତ୍ରୀ ପୃଥିବୀର ନେତାମାନଙ୍କୁ କହିଛନ୍ତି, କାର୍ବନ ଉତ୍ସର୍ଜନକୁ ଜରୁରିକାଳୀନଭିତ୍ତିରେ ନିୟନ୍ତ୍ରଣ ନ କଲେ ତାଙ୍କ ଭଳି ଦ୍ୱୀପ ଦେଶଗୁଡିକର ଲୋକମାନଙ୍କ ପାଇଁ ଏହା ‘ମୃତ୍ୟୁଦଣ୍ଡ’ ସଦୃଶ ହେବ।
ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ବିପଦରୁ ପୃଥିବୀକୁ ରକ୍ଷା କରିବା ପାଇଁ ଗ୍ଲାସ୍‌ଗୋ ସମ୍ମିଳନୀକୁ ‘ଶେଷ ସର୍ବୋତ୍ତମ ଆଶା’ କୁହାଯାଇଛି। ଏହି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଯଦି ଦୃଢ ଭାବେ ପାଳନ କରା ନ ଯାଏ, ତା’ହେଲେ ଜଳବାୟୁ ପରିବର୍ତ୍ତନର ବିପଦରୁ ପୃଥିବୀକୁ ରକ୍ଷା କରିବା ଅସମ୍ଭବ ହୋଇପଡିବ ଏବଂ ଆମର ପରପିଢ଼ି ଏଥିପାଇଁ ଆମମାନଙ୍କୁ କଦାପି କ୍ଷମା କରିବେ ନାହିଁ।
୭୦, ଲକ୍ଷ୍ମୀବିହାର ଫେଜ୍‌-୧, ଭୁବନେଶ୍ୱର
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri