ଶେଷ କିଷାନ ପାଇବେ ଭାରତ ଗୌରବ ସମ୍ମାନ

କଟକ,୧୭।୯: ଦୀର୍ଘ ୨୩ବର୍ଷ ଧରି ନିରନ୍ତର ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଭାରତ ମସଲା କମ୍ପାନୀ ଆସନ୍ତା ଗଣେଶ ପୂଜାରେ ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ। ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖି ଓଡ଼ିଶାର ନାମକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ। ଚଳିତବର୍ଷ ବିଜ୍ଞାନକ୍ଷେତ୍ରରେ ଯୁବ ବୈଜ୍ଞାନିକ ଡ. ଶେଷ କିଷାନଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ସାହିତ୍ୟ କ୍ଷେତ୍ରରେ ସୁନାମଧନ୍ୟ ଲେଖିକା ବନଜା ଦେବୀଙ୍କୁ କଥା ଭାରତ ସମ୍ମାନ, ସେବା କ୍ଷେତ୍ରରେ ସଦ୍‌ଗୁରୁ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ମହାନ୍ତିଙ୍କୁ ସେବା ଭାରତ ସମ୍ମାନ, କଳା କ୍ଷେତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ ସଂସ୍କୃତି ଭାରତ ସମ୍ମାନ, ଶିକ୍ଷା କ୍ଷେତ୍ରରେ ସବ୍ୟସାଚୀ ପାତ୍ର, ମିତ୍ରବର ସିଂ ଓ ହିମାଂଶୁ ପାତ୍ରଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ଓସିଏ କନ୍‌ଫରେନ୍ସ ହଲ୍‌ରେ ଶୁକ୍ରବାର ଅନୁଷ୍ଠିତ ଖବରଦାତ୍ତା ସମ୍ମିଳନୀରେ ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଭାରତ ମସଲା ଓ ଜୟ ଭାରତ ଫାଉଣ୍ଡେଶନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ଜୟ ଭାରତ ଫାଉଣ୍ଡେସନ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ସିଂହ, ଜିଏମ୍‌ (ଫାଇନାନ୍ସ) ଅଶ୍ୱିନୀ କୁମାର ଦାଶ, ଭାରତ ମସଲା ଟ୍ରଷ୍ଟି ସୁମନ୍ତ କୁମାର ପଣ୍ଡା, ଜିଏମ୍‌ (ଅପରେସନ୍‌) ଅରୁଣ କୁମାର ନାୟକ, ଜିଏମ୍‌ (ପ୍ରଡକ୍ସନ) ନବକୃଷ୍ଣ ପ୍ରଧାନ, ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା ଓ ଆଶୁତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share