ବିମାନ ଦୁର୍ଘଟଣା ପୂର୍ବରୁ ଶେଷ ସେଲ୍ଫି

କୋଝିକୋଡ,୮।୮: କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ଅନ୍ୟଯାତ୍ରୀ ଆହତ ହୋଇଛନ୍ତି। ବନ୍ଦେ ଭାରତ ମିଶନରେ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ୧୭୪ଜଣ ଯାତ୍ରୀ ଯାତ୍ରା କରୁଥିଲେ। କେରଳରେ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ସମୟରେ ବିମାନଟି ହଠାତ୍‌ ରନୱେରୁ ବାହାରକୁ ଚାଲିଯାଇ ୩୦ ଫୁଟ ତଳକୁ ଖସିପଡ଼ିବାରୁ ଦୁଇଖଣ୍ଡ ହୋଇଯାଇଥିଲା। ଯାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଥିଲା। ଅନ୍ୟପଟେ ବିମାନ ଦୁର୍ଘଟଣା ପରେ ଏବେ ୨ଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିମାନରେ ଦୁବାଇରୁ ଆସୁଥିବା ଏକ ପରିବାରର ଏହି ଫଟୋ ଅନେକଙ୍କ ମନରେ ଦୁଃଖ ଆଣିଦେଇଛି। କାରଣ ଦୁର୍ଘଟଣା ପୂର୍ବରୁ ଜଣେ ବ୍ୟକ୍ତି ନିଜ ଝିଅ ଓ ପତ୍ନୀଙ୍କ ସହ ବିମାନରେ ନେଇଥିବା ସେଲ୍ଫି ତାଙ୍କ ପାଇଁ ଶେଷ ସେଲ୍ଫି ହୋଇଯାଇଛି। ଉକ୍ତ ଫଟୋରେ ସେମାନେ ମାସ୍କ ଓ ଫେସ୍‌ସିଲ୍ଡ ପିନ୍ଧି ବିମାନରେ ସେଲ୍ଫି ନେଇଥିବା ନଜର ଆସିଛି। ଏହାପରେ ହଠାତ୍‌ ଯେପରି ତାଙ୍କ ଉପରେ ଆକାଶ ଭାଙ୍ଗି ପଡ଼ିଥିଲା। ବିମାନ ଦୁର୍ଘଟଣାରେ ସରିଫ୍‌ଉଦ୍ଦିନ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ମା’ ମଧ୍ୟ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଝିଅଟି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ପରିବାର କେରଳର ମାନ୍ନାପୁରମ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ରହିଛି। ସେହିପରି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। କାରଣ ଦୁର୍ଘଟଣାରେ ବାପା ମା’ଠାରୁ ଜଣେ ଶିଶୁ ଅଲଗା ହୋଇଯାଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଝିଅଟିକୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲ ପଠାଇଥିବା ଦେଖିବାକୁ ମିଳିଛି। ଏହି ୨ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share