ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉପରେ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୩।୭: ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ବୁଧବାର ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତି ସରିଛି। ଖୁବଶୀଘ୍ର ଏନେଇ ମୋଡାଲିଟି ପ୍ରସ୍ତୁତ ହେବ। ବୈଠକ ପରେ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ। ସରକାର ତାରିଖ ସହ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିବେ। ଗଣମାଧ୍ୟମରେ ତାରିଖ ଘୋଷଣା ନେଇ ଗୁଜବ ହେଉଛି।

ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ସୂଚନା ଅନୁଯାୟୀ, ଚଳିତ ମାସ ୮ ତାରିଖଠାରୁ ୨୭ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୦ ଦିନ ଧରି ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ଗଣତିମଣତି କରାଯାଇପାରେ। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଚଳିତ ମାସ ୫ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇପାରେ। ତେଣୁ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ୪ ତାରିଖରେ ଓଡ଼ିଶା ଆସୁଥିବା ସୂଚନା ମିଳିବା ପରେ ୫ତାରିଖରେ ବୈଠକ ବସି ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରାଯିବା ସହ ଅଳଙ୍କାର ଗଣତିମଣତି ନେଇ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି।