ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ:୧୬ ଜଣିଆ କମିଟି ଗଠନ

ଭୁବନେଶ୍ୱର,୫ା୭(ଅନିଲ ଦାସ):ଖୁବ୍‌ଶୀଘ୍ର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏ ନେଇ ଗୁରୁବାର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଏଥିରେ ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନନ୍ଦଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍‌ଆଇ)ର ପ୍ରତିନିଧି, ମଧୁସୂଦନ ସିଂଘାରି, ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ରହିଛନ୍ତି।
ଆସନ୍ତା ୬ ତାରିଖ ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଇନମନ୍ତ୍ରୀ ପୃ୍‌ଥ୍ବୀରାଜ ହରିଚନ୍ଦନ କହିଛନ୍ତି। ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଏହି କମିଟିର ପ୍ରଥମ ବୈଠକ ୬ ତାରିଖରେ ବସିବ। ରତ୍ନଭଣ୍ଡାର ଖୋଲିବା ନେଇ କେଉଁଭଳି କାର୍ଯ୍ୟ ଆଗକୁ ଯିବ ସେ ନେଇ କମିଟି ମୋଡାଲିଟି ପ୍ରସ୍ତୁତ କରିବ। କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ ହେବେ ସେ ନିଷ୍ପତ୍ତି ମଧ୍ୟ ଏହି କମିଟି ନେବ। ପ୍ରଥମ ବୈଠକ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।