ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୬।୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ  ସୁଡ଼ଙ୍ଗ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ। ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ ବୋଲି ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ନେଇ ସର୍ଭେ ହେବ। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୧୯୭୮ ମସିହା ଡାଟାବେସ ଅନୁଯାୟୀ ଅଳଙ୍କାର ମେଳ କରାଯିବ।

ପୂର୍ବରୁ ତ୍ନଭଣ୍ଡାର ଭିତରେ ଏକ ସୁଡ଼ଙ୍ଗ ରହିଛି ବୋଲି କୁହାଯାଉଥିଲା ।

ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ, ଏହି ସୁଡ଼ଙ୍ଗ ଦୃଶ୍ୟମାନ ହୁଏ । ୧୯୭୮ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି । ୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବ। ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା।

 

ଅନ୍ୟପକ୍ଷେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ମରାମତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସ୍‌ଆଇ ଡିଜିଙ୍କୁ ରାତାରାତି ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଯାଞ୍ଚ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠି ଲେଖାଯାଇଛି। ଏଥିସହିତ ଉନ୍ନତମାନର ଅନୁଷ୍ଠାନ ଦ୍ୱାରା ଯାଞ୍ଚ ପ୍ରକ୍ରିୟା କରିବା ପାଇଁ ମୁଖ୍ୟ ପ୍ରଶାସକ ନିବେଦନ ମଧ୍ୟ କରିଛନ୍ତି। ଲେଜର ସ୍କାନିଂ ଓ ଜିପିଆର୍‌ଏସ୍‌ ଦ୍ୱାରା ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ଯାଞ୍ଚ ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

Share