ଶ୍ରୀମନ୍ଦିର ଭିଡ଼କୁ ନେଇ ମୁହଁ ଖୋଲିଲେ ଆଇନ୍‌ ମନ୍ତ୍ରୀ: ସଫେଇ ଦେଇ କହିଲେ…

ଭୁବନେଶ୍ୱର, ୧୬।୬:ରାଜ୍ୟରେ ଭାଜପା ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଲୋକଙ୍କ ଆଗରେ ରଖିଥିଲା। ଯେପରିକି ଦଳ ରାଜ୍ୟରେ ସରକାର ଗଠନ କରିବାର କିଛି ସମୟ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାର ପ୍ରତିଶ୍ରୁତି ଦେଇଥିଲା। ସେହିକ୍ରମରେ ଦଳ ସରକାରକୁ ଆସିବା କ୍ଷଣି ପ୍ରଥମ ପଦକ୍ଷେପ ଭାବେ ଶ୍ରୀମନ୍ଦିର ଚାରିଦ୍ୱାର ମଧ୍ୟ ଖୋଲିଲା। ହେଲେ ପ୍ରବଳ ଭିଡ଼ କାରଣରୁ ଏବେ ଶ୍ରୀମନ୍ଦିରକୁ ଦର୍ଶନ କରିବା ଲାଗି ଯାଉଥିବା ଭକ୍ତମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଖବର ଦୃଷ୍ଟିକୁ ଆସଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା ନ ଥିବାରୁ କେହି କେହି ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି। ଏନେଇ ଆଇନ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଛୁଟିଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି। ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ। ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍‌ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Share