ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା ,ପ୍ରଶାସନ ଓ ସରକାରଙ୍କ ଉପରେ ବିଭିନ୍ନ ସମୟରେ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରି ଆସୁଛନ୍ତି । କ୍ଷୁବ୍ଧ ଭୋଟରଙ୍କୁ ନେତା ବୁଝାବାଇବାରେ ସଫଳ ହେଉ ନ ଥିବାରୁ ଦଶପଲ୍ଲା ବ୍ଲକର ୧୦ ନଂ. ଜିଲାପରିଷଦ ଜୋନ୍‌ରେ ଶାସକଦଳର ଭୋଟ ବିଭାଜନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାର ଫାଇଦା ବିରୋଧିଦଳ କେତେ ନେବ କିମ୍ବା ଭୋଟ ପୂର୍ବରୁ ଏହି ସ୍ଥିତିର କେତେ ପରିବର୍ତ୍ତନ ହେବ ତାହା ନିର୍ବାଚନ ଫଳାଫଳରୁ ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସରିଗଣ୍ଡା, ଶିମିଳିସାହି, ତେଣ୍ଡାବାଡ଼ି, ପୋଖରୀଗୋଚ୍ଛା, ଭୋଗବାଡ଼ି, ତୁମାଣ୍ଡି, ଟାକେରା ଆଦି ୭ ପଞ୍ଚାୟତକୁ ନେଇ ଦଶପଲ୍ଲା ବ୍ଲକର ୧୦ ନଂ. ଜୋନ୍‌ ଗଠିତ। ଏହି ପଞ୍ଚାୟତରେ ନାନା ସମସ୍ୟା ରହିଛି। ଅଧିକାଂଶ ଗଁାକୁ ଯିବାକୁ ରାସ୍ତା ନାହଁ। ପୁଣି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ତୁମାଣ୍ଡି ପଞ୍ଚାୟତର ବୋଇପାଜୁ, ନରାଜିପଡ଼ା, ସାନକୁରୁବାରି, ବଡ଼କୁରୁବାରୀ, ଟିଆପଦର ଗାଁକୁ ରାସ୍ତା ନାହିଁ । ପୁଣି ଭୋଗବାଡ଼ି ପଞ୍ଚାୟତର କାମଣ୍ଡିବଙ୍ଗା, ପେହେଲାଜ ଓ ପଥରଗଣ୍ଡ, ସରିଗଣ୍ଡା ପଞ୍ଚାୟତର କନ୍ଧଭୋଗବାଡ଼ି, କୋଡ଼ିଆ, ବୁଢ଼ାପନର ଓ ପିପଳପଦର, ପୋଖରୀଗୋଛା ପଞ୍ଚାୟତର ଉଦୁଡ଼ା ଓ ସୁନ୍ଦରୀତଇଲା, ତେଣ୍ଡାବାଡ଼ି ପଞ୍ଚାୟତର ବରସାହି, ଲେମ୍ବୁଗୋଛା ଗଁାକୁ ମଧ୍ୟ ରାସ୍ତା ନାହିଁ। ସରକାର ମହାମତ୍ା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ହେଉଛି ବୋଲି ଡିଣ୍ଡିମ ପିଟୁଥିଲେ ମଧ୍ୟ ସେହି ଯୋଜନା ସାତସପନ । ସେହିଭଳି ପିପଳପଦର, କଦମବେରଣାପରି ଅଞ୍ଚଳରେ ନଦୀ ଉପରେ ପୋଲ ହୋଇ ପାରୁନି । ଟାକେରା ପଞ୍ଚାୟତର ମଞ୍ଜାରୀ, ମୁଣ୍ଡୁଳୀ, ମିଟୁକୁଳି, ଗୁରୁସାହି, କାବେରା, ଆସରଡା ଗାଁରେ ମଧ୍ୟ ରାସ୍ତା ସମସ୍ୟା ରହିଛି । ମୋବାଇଲ ନେଟୱାକ ନାହିଁ। ବ୍ୟାଙ୍କ ସେବା ଠିକ୍‌ ଭାବେ ମିଳୁନି । ଠିକଣା ସମୟରେ ଆକାଉଣ୍ଟକୁ ଟଙ୍କା ଆସୁନି । ଭତ୍ତା ପାଇବା ପାଇଁ ବୃଦ୍ଧାବୃଦ୍ଧ,ବିଧବା ଓ ଭିନ୍ନକ୍ଷମ ଲୋକେ ହଇରାଣ ହରକତ ହେଉଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୩ ବର୍ଷ ପରେ ତାଙ୍କର ପ୍ରତିଶ୍ରୁତି ସେମିତି ରହିଛି । କୌଣସି କାମ ହୋଇନାହିଁ । ପଞ୍ଚାୟତ ନିର୍ବାଚନ ସମୟରେ ଭୋଟରଙ୍କୁ ପୁଣି ପ୍ରତିଶ୍ରୁତି ଦେବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ ସୃଷ୍ଟି କରିଛି ବୋଲି ଭୋଟର କହିଛନ୍ତି ।
ଏହି ଜୋନ୍‌ରେ ସଙ୍ଗୀତା କୁମାରୀ ନାୟକ(ଭାଜପା), ବନିତା ବେହେରା (କଂଗ୍ରେସ), ସତ୍ୟଭାମା ନାୟକ(ବିଜେଡି), ଲକ୍ଷ୍ମୀ ନାୟକ (ବହଜୁନ ସମାଜ ପାର୍ଟି) ଓ ମମତା ପ୍ରଧାନ (ସ୍ବାଧୀନ) ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସୁନ୍ଦରୀ ପ୍ରଧାନ ନାମକ ଜଣେ ଭୋଟର କୁହନ୍ତି, ନିର୍ବାଚନ ସମୟରେ ଦଶପଲ୍ଲା ବ୍ଲକର ଦୁର୍ଗମଅଞ୍ଚଳର ଲୋକ ମନେପଡ଼ନ୍ତି । ଭୋଟ ଶେଷ ହୋଇଗଲେ ସେମାନଙ୍କ ସମସ୍ୟା ନାଲିଫିତା ତଳେ ରହିଯାଏ । ଏଭଳି ସମସ୍ୟା ଆଜିକାଲିର ନୁହେଁ, ବହୁବର୍ଷ ଧରି ଚାଲି ଆସିଛି । ଭୋଟ ସରିଗଲେ ଲୋକଙ୍କ ସମସ୍ୟା ନିର୍ବାଚିତ ପ୍ରତିନିଧିଙ୍କ ମନେ ରହେ ନାହିଁ ।

Share