ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବଜେଟ୍‌ ଅଧିବେଶନ ପୂର୍ବରୁ ବିଜେଡି, ଭାଜପା ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସା ୫ଟା ୩୦ମିନିଟ୍‌ରେ ବୈଠକ ବସିବ। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସଭବନରେ ଭାଜପା ବିଧାୟକ ଦଳ ବୈଠକ ବସିବ। ଅନ୍ୟପଟେ ସା ୬ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରି ଗୁରୁବାର ଆରମ୍ଭ ହେବାକୁ ଥିବା ବେଜେଟ୍‌ ଅଧିବେଶନରେ ପାଦ ରଖିବେ ବୋଲି ଜଣାପଡିଛି। ରାଜ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ମଧ୍ୟ ମୁଖ୍ୟତଃ ମଣ୍ଡିରେ ଚାଷୀ ଧାନ ବିକ୍ରି ନ କରିପାରିବା ଏବଂ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଭଳି ସମସ୍ୟା କଥା ବିରୋଧୀ ଜୋରଦାର କରିବେ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ମଧ୍ୟ ବିରୋଧୀ ସ୍ବର ଉଠାଇବେ। ଏଭଳି ସ୍ଥିତିରେ ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗ ଏବଂ ତେଲ ଦର ବୃଦ୍ଧି କଥାକୁ ବିଜେଡି ଜୋରଦାର ଉଠାଇବ ବୋଲି ଜଣାପଡିଛି।

Share