
ତିହିଡ଼ି,୪ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଡାଙ୍ଗମାଳ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍ ଖୁଣ୍ଟ ଉଠାଇବା ବେଳେ ଏକ ଅଘଟଣ ଘଟିଛି l ଖୁଣ୍ଟ ଉଠାଇବାରେ ବ୍ୟବହୃତ ଶାବଳ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକଙ୍କ ନାଁ ସଞ୍ଜୟ ଭୋଇ (୩୬) ଏବଂ ତାଙ୍କ ଘର କଟକ ଜିଲା କିଶୋରନଗର ଥାନା ଅଧୀନ ଖେନ୍ତାଳ ଗ୍ରାମରେ ବୋଲି ଜଣାଯାଇଛି l
ଘଟଣାରୁ ପ୍ରକାଶ ଯେ, ତିହିଡ଼ି ବିଭାଗ ଅଧୀନରେ ବିଭିନ୍ନ ଅଞ୍ଚଳର କିଛି ଲୋକ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତ। ସେହି ଶ୍ରମିକମାନେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଡାଙ୍ଗମାଳ ଗ୍ରାମରେ ଶାବଳ ସହାୟତାରେ ବିଦ୍ୟୁତ ଖୁଣ୍ଟ ଉଠାଉଥିଲେ। ହଠାତ ଶାବଳଟି ଛିଟକି ସଞ୍ଜୟଙ୍କ ଛାତିରେ ବାଜିବାରୁ ସେ ଗୁରୁତର ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତିହଡ଼ି ଥାନାରେ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା (ନଂ ୧୫/୨୫) ରୁଜୁ ହୋଇଛି l