ଚାନ୍ଦବାଲି,୩୦।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, କରଞ୍ଜମାଳ ପଞ୍ଚାୟତ ଅଧୀନ ଧାନକୁଟା ଗ୍ରାମର ଲକ୍ଷ୍ମୀଧର ଦାସ(୫୨) ଏବଂ ପ୍ରଶାନ୍ତ ଦାସ(୩୮) ଦୁଇ ଜଣ ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ । ନିକଟସ୍ଥ ବଙ୍ଗୋପସାଗର କୂଳ ଠାରୁ କିଛି ଦୂରରେ ବେଢ ଜାଲ ମାରିଥିଲେ । ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚା ଢେଉ ଆସିଥିଲା। ଫଳରେ ଲକ୍ଷ୍ମୀଧର ଦାସ ସମୁଦ୍ରରେ ଭାସିଯାଇ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରଶାନ୍ତ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।