ମହାକାଳପଡ଼ା,୨୬ା୮(ଡି.ଏନ୍.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି ପ୍ରଥମ ଗୁରୁ। ଦ୍ୱିତୀୟରେ ବାପା, ୩ୟରେ ପାଠ ପଢ଼ାଉଥିବା ଗୁରୁ। ତେଣୁ ତୁମକୁ ସଂସାରକୁ ଆଣିଥିବା ଓ ନିଜେ ନ ଖାଇ ତୁମ ମୁହଁରେ ଦାନା ଦେଉଥିବା ମା’ବାପାଙ୍କୁ ବୃଦ୍ଧା ଅବସ୍ଥାରେ କେବେ ବି ହଇରାଣ କରିବ ନାହିଁ। କାହିଁକି ନା ସମାଜରେ କେହି ଯଦି ତୁମ ଶୁଭ ଚିନ୍ତକ ଥାଆନ୍ତି, ସେ ହେଉଛନ୍ତି ମା’ବାପା। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ ଗ୍ରାମରେ ଏହାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ପତ୍ନୀଙ୍କ ମୃତ୍ୟୁ ପରେ ପିଲାମାନେ ପର କରି ଦେବାରୁ ସୁକୁଲାଲ ଦେବନାଥ (୭୨) ଦୀର୍ଘ ୪୦ ବର୍ଷ ହେଲା ଛିଣ୍ଡା ପଲିଥିନ୍ ତଳେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପରିବାର କହିଲେ, ପତ୍ନୀ ଆରପାରିକୁ ଯିବା ପରେ ୩ ଭେଣ୍ଡିଆ ପୁଅ ରହିଛନ୍ତି। ସେମାନେ ସୁକୁଲାଲଙ୍କୁ ନ ପଚାରିବାରୁ ବାଧ୍ୟ ହୋଇ ଏବେ ବୃଦ୍ଧ ଅବସ୍ଥାରେ ଗାଁ ଶ୍ମଶାନ ନିକଟରେ ଏକ ଖଣ୍ଡିଆ ନୂଆଣିଆଁ ଘରେ ପଲିଥିନ୍ ପକାଇ ରହୁଛନ୍ତି। ନିକଟସ୍ଥ ଗାଁ ଗଣ୍ଡା, ବଜାର ଆଦି ଅଞ୍ଚଳରୁ ମାଗିଯାଚି ପେଟକୁ ମୁଠେ ଖାଇ ଦିନ କାଟି ଥାଆନ୍ତି। ଖରା, ବର୍ଷା, ଝଡ଼ବାତ୍ୟା ସମୟରେ ନୂଆଣିଆଁ ପଲିଥିନ୍ ତଳେ ରହିବାକୁ ପଡୁଛି। ୧୯୯୯ ମହାବାତ୍ୟା ସମୟରେ ମଧ୍ୟ ଜୀବନ ବିକଳରେ ପଡ଼ି ରହିଥିଲି।
ଅପରପକ୍ଷରେ ସୁକୁଲାଲଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ରାଶନ ସାମଗ୍ରୀ କିଛି ମଳୁନାହିଁ। କେତେବେଳେ ଗଣ୍ଡେ ମିଳିଲେ ଖାଇଥାଆନ୍ତି ନ ହେଲେ ପାଣି ମୁନ୍ଦିଏ ପିଇ ଶୋଇ ପଡ଼ିଥାଆନ୍ତି। ପଲିଥିନ୍ ତଳେ ସୁକୁଲାଲ କେତେକ ଠାକୁରଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ବିପଦଆପଦ ସମୟରେ ଭଗବାନ୍ଙ୍କୁ ସ୍ମରଣ କରି ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ ବୋଲି ସୁକୁଲାଲ କହିଛନ୍ତି। ବହୁ ଲୋକ ଆସି ପଚାରନ୍ତି, କାହିଁକି ଏହି ଖଣ୍ଡିଆ ପଲିଥିନ୍ ତଳେ ରହିଛ। ଘର ଲୋକ ପର କଲେ। କାହା ଭରସାରେ ଜୀବନ ବଞ୍ଚାଇବି। ପତ୍ନୀ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ଅତିବାହିତ କରୁଥିବା ସେ କହିଛନ୍ତି। ତେଣୁ ଜୀବିତ ଅବସ୍ଥାରେ ଥିବା ବାପାଙ୍କୁ ପୁଅମାନେ ନିଜ ପାଖରେ ନେଇ ରଖି ସେବା ଯତ୍ନ କରିବା ଦରକାର ବୋଲି ସୁକୁଲାଲଙ୍କ ଏଭଳି ଅବସ୍ଥା ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରଶାସନ ମଧ୍ୟ ତାଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।