ଟ୍ରକ୍‌ ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ, ଜଣେ ଗୁରୁତର

ଥୁଆମୂଳ ରାମପୁର,୯ା୧୦(ଦୁର୍ଗା କୀର୍ତ୍ତି): ପୋଲିସ ପ୍ରଶାସନର ଘନଘନ ରୋଡ୍‌ ସୁରକ୍ଷା ସଚେତନତା ସତ୍ତ୍ୱେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଉ ବିଶେଷକରି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଥାନା ଅଧୀନରେ ଗତ କିଛିଦିନ ହେବ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି।
କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଭବାନୀପାଟଣା ମୁଖ୍ୟ ରାସ୍ତା ପାଖରେ ଥିବା ପେରମଞ୍ଜି ଉଦ୍ୟାନ ବିଭାଗ ନର୍ସରୀ ଘାଟିରେ ବୁଧବାର ଅପରାହ୍ନରେ ଆର୍‌ ଜେ୧୧ଜିବି୧୧୧୦ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ଧକ୍କାରେ କର୍ଲାପାଟ ଥାନା ଅନ୍ତର୍ଗତ ବଡଭେଜିଗୁଡ଼ା ଗ୍ରାମର ନାରସିଂ ନାଏକଙ୍କ ୨୩ ବର୍ଷୀୟା ପୁଅ ମଳୟ ନାଏକ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ତେବେ ମୋଟରସାଇକେଲରେ ଆଉ ଜଣେ ୧୭ ବର୍ଷର ଦୀପକ ମାଝୀ ନାମକ ନାବାଳକ ପଛରେ ବସିଥିଲେ। ଯାହାଫଳରେ ସେ ଘଟଣାସ୍ଥଳରେ ଛିଟିକି ପଡ଼ିଯିବା ଫଳରେ ଖଣ୍ତିଆ ଖାବରା ହେବ ସହ ଏକ ହାତ ଭାଙ୍ଗି ଯାଇଥିବା ବେଳେ ସେ ଭୟରେ ଜଙ୍ଗଲ ଭିତରେ ପଳାଇ ଯାଇଥିବା ପରେ ସ୍ଥାନୀୟ ସରପଞ୍ଚଙ୍କ ଲୋକ ପାଖ ଜଙ୍ଗଲକୁ ଯାଇଦେଖିଥିଲେ। ସେଠାରେ ବାଳକଙ୍କୁ ପାଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଉକ୍ତ ନାବାଳକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ଦୁର୍ଘଟଣାର ଖବର ପାଇ କର୍ଲାପାଟ ଥାନା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଥିବା ବେଳେ ଦୁର୍ଘଟଣା କରିଥିବା ଟ୍ରକ୍‌କୁ ପୋଲିସ କାବୁ କରିଛି। ଡ୍ରାଇଭର ଓ ହେଲପର ନିକଟସ୍ଥ ଶଗଡ଼ ଫରେଷ୍ଟ ଚେକ୍‌ଗେଟ୍‌ ପାଖରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବିଜୟ ରାଜ ମାଝୀ।

Share