ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡରେ ପ୍ରଥମ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆପଡ଼ା/ବୋଡେନ, ୭ା୮ (ମକାରୁ ବେମାଲ/ଟିକେଶ୍ୱର ନାଗ):ନୂଆପଡ଼ା ଜିଲା ବୋଡେନ ଥାନା ଜାମଗାଁ ଠେଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡ଼ରେ ପ୍ରଥମ ସ୍ତ୍ରୀ ବାରୁଣୀ ଜଗତ (୪୪)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ଅଭିଯୋଗ ପରେ ପୋଲିସ ସ୍ବାମୀ ହେରମ୍ବ ଜଗତ ଓ ଦ୍ୱିତୀୟ ସ୍ତ୍ରୀ ମାଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା
ଖଡିଆଳ ଏସ୍‌ଡିପିଓ ଅରୂପ ଅଭିଷେକ ବେହେରାଙ୍କ ସୂଚନା ମୁତାବକ, ସିନାପାଲି ବ୍ଲକ ବରଗାଁ ପଞ୍ଚାୟତ ଜାମଗାଁ ଠେଲାପଡ଼ାର ହେରମ୍ବ ବୋଡେନ ବ୍ଲକ ବାବେବିର ଗାଁର ବାରୁଣୀ ଦେଈଙ୍କୁ ପ୍ରାୟ ୨୦ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ୧୧ ବର୍ଷର ଝିଅ ରହିଛି ା ଏପରିସ୍ଥଳେ ହେରମ୍ବ ୫ବର୍ଷ ପୂର୍ବେ ଛତିଶଗଡ କାମ କରିବାକୁ ଯାଇଥିବାବେଳେ ମାଧୁରୀ ଦେଈଙ୍କୁ ଭଲପାଇ ସାଙ୍ଗରେ ଆଣି ଦ୍ୱିତୀୟ ସ୍ତ୍ରୀ ଭାବେ ଘରେ ରଖିଥିଲେ। ମାଧୁରୀ ଘରକୁ ଆସିବା ଦିନଠାରୁ ଦୁଇ ସଉତୁଣି ମଧ୍ୟରେ ଝଗଡା ଲାଗିରହୁଥିଲା। ଗତ ୩ ତାରିଖରେ କୌଣସି କଥାକୁ ନେଇ ଦୁଇ ସଉତୁଣି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦ୍ୱିତୀୟ ସ୍ତ୍ରୀ ମାଧୁରୀ ହାତରେ ଧରିଥିବା ଷ୍ଟିଲ ବାଲଟିରେ ବାରୁଣୀଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏହା ସତ୍ତ୍ୱେ ହେରମ୍ବ ତାଙ୍କୁ ଡାକ୍ତରଖାନା ନ ନେଇ ଘରେ ଆୟୁର୍ବେଦିକ ଚିକିତ୍ସା କରୁଥିଲେ। ବାରୁଣୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ଶେଷରେ ଗତ ୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ବାରୁଣିଙ୍କ ବଡ ଭାଇ ବିଶିକେଶନ ତାଣ୍ଡି ଭଉଣୀଙ୍କୁ ମାରି ଦେଇଛନ୍ତି ବୋଲି ବୋଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୋଡେନ ପୋଲିସ ୬ ତାରିଖରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୭୭/୨୪) ରୁଜୁ କରିବା ସହ ହେରମ୍ବ ଓ ମାଧୁରୀଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ବେହେରା ସୂଚନା ଦେଇଛନ୍ତି ା