ଗୋପାଳପୁର,୧୯ା୮(ଡି.ଏନ୍.ଏ.): ଦାଦନ ଖଟିବାକୁ ଯାଇ ଗଲା ଜୀବନ। ଏଭଳି ଏକ ଘଟଣା ଘଟିଛି। ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କୁଠାରସିଂ ଗ୍ରାମରେ । ଗ୍ରାମର ଜି. ରାମମୂର୍ତ୍ତି ରେଡ୍ଡୀ (୪୨) ଦାଦନ ଶ୍ରମିକ ଭାବେ ଗୁଜରାଟରେ କାମ କରୁଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଓଡ଼ିଶା ମୋ ପରିବାର ସହାୟତାରେ ଶୁକ୍ରବାର ଗ୍ରାମକୁ ଅଣାଯାଇଛି।
ସୂଚନାନୁସାରେ, କୁଠାରସିଂ ଗ୍ରାମର ରାମମୂର୍ତ୍ତି ଗତ ୫ ବର୍ଷ ହେଲା ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରି ପରିବାର ଚଳାଉଥିଲେ। ସେଠାରେ ଗତ ୧ ତାରିଖରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ତାଙ୍କର ବ୍ରେନ୍ ଟ୍ୟୁମର ହୋଇଥିବା ଡାକ୍ତର କହିଥିଲେ। ଗତ ୪ ତାରିଖରେ ରାମମୂର୍ତ୍ତିଙ୍କୁ ସୁରଟର ଏକ ଘରୋଇ ମେଡିକାଲରେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଅସ୍ତ୍ରୋପଚାର ସହ ଚିକିତ୍ସା କରାଯାଇଥିଲା। ସେହିଦିନଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା। ତେବେ ପୁଣି ଗତ ୧୭ ତାରିଖରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରାମମୂର୍ତ୍ତିଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହ ଗ୍ରାମକୁ ଆଣିବା ସମ୍ଭବପର ହୋଇ ନ ଥିଲା। ଏ ନେଇ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାଶଙ୍କୁ ଅବଗତ କରାଇଥିଲେ। ପରେ ଓଡ଼ିଶା ମୋ ପରିବାର ସହାୟତାରେ ଆମ୍ବୁଲାନ୍ସ ଯୋଗେ ଶୁକ୍ରବାର ଗ୍ରାମରେ ତାଙ୍କ ମୃତଦେହ ପହଞ୍ଚତ୍ଛି। ଏହି ସମୟରେ ଜିଲା ପରିଷଦ ଉପସଭାନେତ୍ରୀ ରାଜେଶ୍ୱରୀ ଦୋରା, ବ୍ଲକ ବିଜେଡି ସଭାପତି ଅଜିତ ଦାଶ, ଯୁବ ବିଜେଡି ସଭାପତି ବିନୋଦ କୁମାର ମହାଙ୍କୁଡ଼, କୁଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ, ସିଏଚ୍ ନରେଶ ଓ ଆଶିଷ ରାଉଳ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ।