କେନ୍ଦୁଝର, ୧୦ା୮(ସ୍ବ.ପ୍ର.)-ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, ହେଲେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ଫଳପ୍ରଦ ହେଉନାହିଁ। ଫଳରେ ସେମାନଙ୍କ ଜୀବନଧାରା ବଦଳିପାରୁନି। କେନ୍ଦୁଝର ଜିଲାରେ ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଏବେବି ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ପେଟପାଟଣା ପାଇଁ ମୁଣ୍ଡ ଓ ଭାରରେ କାଠ ବୋହି ସହରକୁ ନେଇ ବିକ୍ରି କରିବାକୁ ଯାଉଛନ୍ତି। ଖଣିଖାଦାନ ଯୋଗୁ ଜଙ୍ଗଲ ଉଜୁଡ଼ିଯିବା ଫଳରେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି। ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ମଧ୍ୟ କରୋନା ମହାମାରୀ ସମୟରେ ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡିଛି।
ଅନେକ ଆଦିବାସୀ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ପାନୀୟ ଜଳ, ବିଦ୍ୟୁତ୍ ସେବା, ସ୍ବାସ୍ଥ୍ୟସେବା, ବାସଗୃହ, ମୋବାଇଲ ତଥା ବ୍ୟାଙ୍କିଙ୍ଗ୍ ସେବା ଆଦି ଭଳି ମୌଳିକ ସୁବିଧା ମିଳୁନାହିଁ। ବିଶେଷ କରି ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ସଫଳ ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ହୋଇପାରୁ ନାହିଁ। ଖଣିଖାଦନ ଯୋଗୁ ଯୋଡ଼ା, ବାଂଶପାଳ, ହାଟଡ଼ିହି ଆଦି ବ୍ଲକ ଅଞ୍ଚଳରେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି। ପେଟପାଟଣା ପାଇଁ ଖଣିଖାଦାନ, କ୍ୱାରି, ଶିଳ୍ପ ଆଦିରେ କାମ କରିବାକୁ ଆଗ୍ରହୀ ଥିଲେ ହେଁ ମିଳୁ ନ ଥିବାରୁ ବାଧ୍ୟ ହୋଇ ସେମାନେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଜିଲାରେ ଆଦିବାସୀଙ୍କ ସଂଖ୍ୟା ୪,୪୮,୬୭୧ ଥିଲା। ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ୬,୧୮,୮୭୮ ରେ ପହଞ୍ଚତ୍ଛି। ସେମାନଙ୍କ ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ୪୫.୪୫ ପ୍ରତିଶତ। ସେଥିରୁ ମହିଳା ୪୬.୧୩ ପ୍ରତିଶତ ଓ ପୁରୁଷ ୪୪.୭୮ ପ୍ରତିଶତ। ଜିଲାରେ ସମୁଦାୟ ୫୬ ପ୍ରକାରର ଆଦିବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବାଥୁଡି, ଭୂୟାଁ, ଜୁଆଙ୍ଗ, ଭୂମିଜ, ଗୌଣ୍ଡ, ହୋ, ଖରଓାର, କିସାନ, କୋହ୍ଲ, ମୁଣ୍ଡା, କୋରା, ସାନ୍ତାଳ, ଓରାମ, ଶବର, ସାଉନ୍ତିଙ୍କ ସଂଖ୍ୟା ୯୭.୭୨ ପ୍ରତିଶତ ରହିଛି। ଜିଲାର ଜୁଆଙ୍ଗ ଓ ଭୂୟାଁ ଆଦିବାସୀ ପୁରାତନ ଜନଜାତି ଶ୍ରେଣୀର। ସର୍ବାଧିକ ଆଦିବାସୀ କେନ୍ଦୁଝର ଉପଖଣ୍ଡରେ ବସବାସ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଦିବାସୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ। ମହିଳାମାନେ ଅଧିକ କର୍ମଠ। ଏଣୁ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଗଲେ ସେମାନଙ୍କ ବିକାଶ ଅଧିକ ହୋଇପାରିବ ବୋଲି ଆଦିବାସୀ ନେତା କୈଳାସ ନାୟକ କହିଛନ୍ତି। ମହିଳା ଆଦିବାସୀଙ୍କ ସାକ୍ଷରତା ହାର ୪୧.୫୬ ପ୍ରତିଶତ ରହିଛି। ଏଣୁ ସାକ୍ଷରତା ହାର ବୃଦ୍ଧି କରିବା ସହ ସେମାନଙ୍କ ପାଇଁ ଆସୁଥିବା ଅନୁଦାନର ଉପଯୁକ୍ତ ତଦାରଖ କରାଯାଇ ପାରିଲେ ସେମାନଙ୍କ ପ୍ରକୃତ ବିକାଶ ହୋଇ ପାରିବ ବୋଲି ଆଦିବାସୀ ନେତା ସତ୍ୟବ୍ରତ ନାୟକ କହିଛନ୍ତି।