ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ବନ୍ଦ

ଭୁବନେଶ୍ୱର,(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୯।୪ (ଡି.ଏନ.ଏ.): ରାଜଧାନୀରେ କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। ମନ୍ଦିରର ୪ଜଣ ସେବାୟତଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସର୍ବସାଧାରଣ ଦର୍ଶନକୁ ବନ୍ଦ କରି ଦିଆଯାଇଛି। ଏଣିକି ଶ୍ରଦ୍ଧାଳୁମାନେ ଆଉ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଏନେଇ ରବିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯିବା ସହ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସେବାୟତଙ୍କ ଦ୍ୱାରା ପୂର୍ବପରି ମନ୍ଦିରରେ ନୀତିକାନ୍ତି ଜାରି ରହିବ। ପୂର୍ବରୁ ନିର୍ଦ୍ଧାରିତ ଅଶୋକାଷ୍ଟମୀ ମଧ୍ୟ କଟକଣା ଭିତରେ ଆୟୋଜନ କରାଯିବ। ସେହିପରି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପରିଚାଳନା ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦ୍ୱାରା କରାଯିବ। ୧୪୪ ଧାରା ଭିତରେ ସେବାୟତ ଓ ପୋଲିସ ରଥ ଟାଣିବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ଲିଙ୍ଗରାଜ ମନ୍ଦିରର ୬୦ଜଣ ସେବାୟତଙ୍କ ନମୁନା ପରୀକ୍ଷା କରାଯାଇଥିଲା। ୪ଜଣ ସେବାୟତଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ତେଣୁ ରବିବାର ୧୮୫ଜଣ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ରୋକ୍‌ ଲଗାଯାଇଛି।

Share