Categories: ମେଟ୍ରୋ

ଟିକା ନେଲେ ଲିଙ୍ଗରାଜ ମନ୍ଦିର ସେବାୟତ

ଭୁବନେଶ୍ୱର, ୧୮।୩ (ବ୍ୟୁରେ) : ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଟିକାକରଣ ଗୁରୁବାରଠାରୁ ଆରମ୍ଭ ହୋଇଛି। ମନ୍ଦିର ନିକଟ ବିଏମ୍‌ସି ହସ୍ପିଟାଲ ଟିକାକରଣ କେନ୍ଦ୍ରରେ ପ୍ରଥମ ଦିନରେ ୨ଜଣ ସେବାୟତ ଟିକା ନେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଟିକାକରଣ ହେଉଛି। ମନ୍ଦିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମୋଟ ୩ଶହ ସେବାୟତଙ୍କ ତାଲିକା ପ୍ରସ୍ତୁତ କରିଥିବାବେଳେ ପ୍ରତିଦିନ ୫୦ଜଣ ଟିକା ନେବେ। ସେହିଭଳି ଟିକାକରଣ ପାଇଁ ଆସୁଥିବା ସେବାୟତମାନେ ଆଧାରକାର୍ଡ ନେଇ ଆସିବାକୁ କୁହାଯାଇଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ଏହି ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ, କଟକଣା ହଟିବା ପରେ ମନ୍ଦିର ଖୋଲିଛି ଓ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଛି। ବିଶେଷକରି ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ରାଜ୍ୟ ତଥା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ସେବାୟତମାନେ ସେମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେବାୟତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ୍‌ ଟିକା ଦିଆଯିବା ପରେ ଏବେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଏଥିରେ ସାମିଲ କରାଯାଇଛି।

Share