Categories: ଜାତୀୟ

ମଦ, ଦୁଇଟି ଅଣ୍ଡାରେ ଦୂରେଇ ଯିବ କରୋନା, କହିଲେ ଏହି କଂଗ୍ରେସ ନେତା

ବେଙ୍ଗାଲୁରୁ,୧୯ା୭: ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ଥମିବାର ନାଁ ନେଉନି। ଏହି ସମୟରେ ଜଣେ କଂଗ୍ରେସ ନେତା ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣି ଲୋକେ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରୁଛନ୍ତି। କର୍ନାଟକ କଂଗ୍ରେସ ନେତା ରବିଚନ୍ଦ୍ର ଗାଟି କହିଛନ୍ତି ଯେ, କରୋନା ଭୂତାଣୁ ରମ୍‌ ଏବଂ ଦୁଇଟି ଅଣ୍ଡା ଦ୍ୱାରା ସମୂଳେ ନାଶ ପାଇବ।

କଂଗ୍ରେସ ନେତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ସେ କହୁଛନ୍ତି, ଏକ ଚାମଚ ଗୋଲମରିଚ ଗୁଣ୍ଡକୁ ୯୦ମିଲିଲିଟର ରମ୍‌ରେ ମିଶାନ୍ତୁ। ଏହା ପରେ, ସେହି ପେଷ୍ଟକୁ ଅଙ୍ଗୁଳିରେ ଭଲ ଭାବରେ ମିଶାନ୍ତୁ ଏବଂ ମିଶ୍ରଣ ପରେ ଏହାକୁ ପିଅନ୍ତୁ। ତା’ପରେ ଦୁଇଟି ଭଜା ଅଣ୍ଡା ଖାଆନ୍ତୁ।
ଗୋଟିଏ ପଟେ ଭାରତ, ଋଷ, ଆମେରିକା ଏବଂ ବିଶ୍ୱର ଅନେକ ଦେଶ କରୋନା ଟିକା ତିଆରି କରିବାରେ ବ୍ୟସ୍ତ। କିନ୍ତୁ ଏହି ନେତା ଜଣକ କରୋନା ଠିକ୍‌ କରିବାକୁ ଅଜବ ପରାମର୍ଶ ଦେଉଛନ୍ତି। ଫଳରେ ଏହି ଭିଡିଓ ଦେଖି ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ବିଶ୍ୱରେ ୧ କୋଟି ୪୪ ଲକ୍ଷ ୨୨ ହଜାର ୪୬୮ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଯୋଗୁ ୬ ଲକ୍ଷ ୪ ହଜାର ୮୨୩ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୩୨ ହଜାରରୁ ଅଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୫,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।
ସେହିପରି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୮୬୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୬,୮୨୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୭,୪୦୭ ଜଣ ସଂକ୍ରମିତ ହୋଇଛନ୍ତି। ୫୪୩ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଭାରତରେ ୬ ଲକ୍ଷ ୭୭ ହଜାର ୬୩୦ ଜଣ ସୁସ୍ଥ ହୋଇଛନ୍ତି।

Share