ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.)

ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩ ଦିନ ବାକି। ହେଲେ ୨୧ ଓ୍ବାର୍ଡବିଶିଷ୍ଟ ତାଳଚେର ପୌର ପରିଷଦ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏପରି କି ଅଧ୍ୟକ୍ଷ ପଦ ଅଳଙ୍କୃତ ପାଇଁ କାହାକୁ ଦଳୀୟ ଟିକେଟ୍‌ ଦିଆଯିବ, ତାହା ମଧ୍ୟ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ। ଫଳରେ ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି, ଆଶାୟୀଙ୍କ ତାଲିକା ସେତିକି ଲମ୍ବି ଲମ୍ବି ଚାଲିଛି।
ତାଳଚେର ପୌର ପରିଷଦର ୨୧ଟି ଓ୍ବାର୍ଡରେ ମୋଟ୍‌ ୨୮ ହଜାର ୪୮୧ ଭୋଟର ଅଛନ୍ତି। ସେଥିରୁ ୧୪ ହଜାର ୫୯୪ ହେଉଛନ୍ତି ପୁରୁଷ ଭୋଟର ଓ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧୩ ହଜାର ୮୮୬। ମତଦାନ ପାଇଁ ଓ୍ବାର୍ଡଗୁଡ଼ିକରେ ମୋଟ ୩୨ଟି ବୁଥ୍‌ କରାଯିବ। କେତେ ପୋଲିଂ ଓ ପ୍ରିଜାଇଡିଂ ଅଫିସର ରହିବେ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ସମୟ ଆରମ୍ଭ ହୋଇଥିବାବେଳେ ଏହା ୭ ତାରିଖରେ ଶେଷ ହେବାକୁ ଯାଉଛି। କିନ୍ତୁ କେଉଁ ଓ୍ବାର୍ଡରୁ କିଏ ଲଢ଼ିବେ ଓ କାହାକୁ ଅଧ୍ୟକ୍ଷ ପ୍ରାର୍ଥୀ କରାଯିବ, ତାହା ବିଜେଡି, ଭାଜପା କି କଂଗ୍ରେସ ପକ୍ଷରୁ ଏଯାଏ ଘୋଷଣା କରାଯାଇ ନାହିଁ। ବିଶେଷକରି ପ୍ରଥମ ଥର ପାଇଁ ପୌର ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ୩ ଦଳରେ ଏଥିପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ୨୦୦୮ରେ ଭାଜପା ଏଠାରେ ପୌର ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। ୨୦୧୩ରେ ବିଜେଡି ପୌର ନିର୍ବାଚନରେ ବିଜୟୀ ହେବା ସହ ଅଧ୍ୟକ୍ଷ ପଦ ହାତେଇଥିଲା। ତେଣୁ ଏହି ଦୁଇ ଦଳରୁ ଅଧିକ ଆଶାୟୀ ରହିଛନ୍ତି। ବିଜେଡି ପକ୍ଷରୁ ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ସୁଶୀଲ ନାଥ, ଚିତ୍ତରଞ୍ଜନ ରାଉତଙ୍କ ନାମ ଶୁଣାଯାଉ ଥିବାବେଳେ ଭାଜପାରୁ ପ୍ରକାଶ ମହାରଣା, ଯଯାତି ପଟ୍ଟନାୟକ, ଜିତେନ୍ଦ୍ର କୁମାର ଦାସ, ପୁପୁନା ଦାସ ଅଧ୍ୟକ୍ଷ ପ୍ରାର୍ଥୀ ଦୌଡ଼ରେ ଥିବା କୁହାଯାଉଛି। ସେହିପରି କଂଗ୍ରେସ ପକ୍ଷରୁ କେଶବ ଭୂତିଆ, ଜ୍ଞାନରଞ୍ଜନ ପାଣି, ବଜରଙ୍ଗ ଅଗ୍ରୱାଲା, ମାନସ ବାଇ ପ୍ରମୁଖ ଦାବିଦାର ରହିଥିବାର ଚର୍ଚ୍ଚା ହେଉଛି। ଏମାନଙ୍କ ବ୍ୟତୀତ ବହୁ ଶିକ୍ଷିତ, ବୁଦ୍ଧିଜୀବୀ ମଧ୍ୟ ସ୍ବାଧୀନ ଭାବେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ଆଗ୍ରହୀ ରହିଥିବା ଦେଖାଯାଉଛି। କାଉନସିଲର ପ୍ରାର୍ଥୀ ହେବାକୁ ମଧ୍ୟ ଅନେକେ ଇତିମଧ୍ୟରେ ପ୍ରସ୍ତୁତି କରୁଛନ୍ତି। ଟିକେଟ୍‌ ମିଳିବା ପୂର୍ବରୁ ଏହି ଆଶାୟୀମାନେ ନିଜ ନିଜ ୱାର୍ଡରେ ବୁଲି ଜନ ସମର୍ଥନ ଲୋଡ଼ିବା ଆରମ୍ଭ କରିଛନ୍ତି। ପୌରାଞ୍ଚଳର ପ୍ରମୁଖ ସମସ୍ୟା ପ୍ରଦୂଷଣ, ପରିମଳ ଓ ପାନୀୟ ଜଳର ସମାଧାନ ନେଇ ପ୍ରତିଶ୍ରୁତି ଦେଉଛନ୍ତି। ତେବେ ନାମାଙ୍କନପତ୍ର ଦାଖଲ ନିମନ୍ତେ ହାତରେ ଆଉ ଅଧିକ ଦିନ ନ ଥିବାରୁ ୩ ପ୍ରମୁଖ ଦଳ ପକ୍ଷରୁ ଖୁବ୍‌ଶୀଘ୍ର ଆଶାୟୀମାନଙ୍କ ପ୍ରତୀକ୍ଷାର ଅନ୍ତଃ ଘଟାଯାଇ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ବିଜେଡି ନଗର ସଭାପତି ଆସିଫ ଖଁା କହିଛନ୍ତି, ଦିନେ କିମ୍ବା ଦୁଇଦିନ ମଧ୍ୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ଭାଜପା ମଣ୍ଡଳ ସଭାପତି ଯଶୋବନ୍ତ ଦାଶ କହିଛନ୍ତି, ଶନିବାର ସୁଦ୍ଧା ଦଳୀୟ ପ୍ରାର୍ଥୀ ତାଲିକା ସର୍ବସମ୍ମୁଖକୁ ଆସିଯାଇଥିବ।

Share