ଟ୍ରକ୍‌ ଚକ ତଳେ ଚାଲିଗଲା ବାପା-ଝିଅଙ୍କ ଜୀବନ

ତାଳଚେର, ୨୨ା୪ (ନି.ପ୍ର.): ପବିତ୍ର ରମଜାନ ମାସର ଶେଷ ଦିନ ତଥା ଇଦ୍‌-ଉଲ୍‌ ଫିତର ଥିବାରୁ ୩ ବର୍ଷର ପୁଅ ଏମ୍‌ଡି ସାହିଲ ଓ ଭଣଜା ଏମ୍‌ଡି ଫିରୋଜ କୁରେସୀଙ୍କୁ ଧରି ମସ୍‌ଜିଦ୍‌କୁ ନମାଜ ପାଠ କରିବାକୁ ଆସିଥିଲେ ତାଳଚେର ଗୋଡ଼ିବନ୍ଧ ଅଞ୍ଚଳର ଏମ୍‌ଡି ଆରିଫ (୩୪)। ହେଲେ ନମାଜ ପାଠ ପରେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୧୪୯ନଂ. ଜାତୀୟ ରାଜପଥର ବାଙ୍କଧରା ଛକ ନିକଟରେ ଘଟିଗଲା ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ଚାଲିଗଲା ଏମ୍‌ଡି ଆରିଫ ଓ ତାଙ୍କ ୩ ବର୍ଷର ପୁଅ ଏମ୍‌ଡି ସାହିଲଙ୍କ ଜୀବନ। ଶନିବାର ଅପରାହ୍ନ ପ୍ରାୟ ୧ଟାରେ ଘଟିଥିବା ଏହି ଦୁର୍ଘଟଣା ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦୁର୍ଘଟଣାରେ ଗୁରୁତର ଏମ୍‌ଡି ଫିରୋଜଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ରାସ୍ତାରୋକୋ କରାଯାଇଛି।
ସୂଚନା ଅନୁଯାୟୀ, ତାଳଚେର ଥାନା ଗୋଡ଼ିବନ୍ଧ ଅଞ୍ଚଳର ଏମ୍‌ଡି ଆରିଫ ପୂର୍ବାହ୍ନରେ ନମାଜ ପାଠ ପାଇଁ ତାଳଚେରସ୍ଥିତ ମସ୍‌ଜିଦ୍‌କୁ ବାଇକ୍‌ରେ ଆସିଥିଲେ। ତାଙ୍କ ସହ ପୁଅ ଏମ୍‌ଡି ସାହିଲ ଓ ଭଣଜା ଏମ୍‌ଡି ଫିରୋଜ କୁରେସୀ ଥିଲେ। ମସ୍‌ଜିଦ୍‌ରେ ନମାଜ ପାଠ କରିସାରିବା ପରେ ଏମ୍‌ଡି ଆରିଫ ସ୍ଥାନୀୟ ବଜାରରୁ ସଉଦାପତ୍ର କିଣିଥିଲେ। ଏହାପରେ ପୁଅ ଓ ଭଣଜାଙ୍କୁ ଧରି ସେ ଗୋଡ଼ିବନ୍ଧସ୍ଥିତ ଘରକୁ ଫେରୁଥିଲେ। ହେଲେ ୧୪୯ନଂ. ଜାତୀୟ ରାଜପଥର ବାଙ୍କଧରା ଛକ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ ଚକାତଳେ ପଡ଼ିଯିବା ଯୋଗୁ ଏମ୍‌ଡି ଆରିଫ ଓ ପୁଅ ଏମ୍‌ଡି ସାହିଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିବା ଭଣଜା ଏମ୍‌ଡି ଫିରୋଜ କୁରେସୀଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଶତାଧିକ ଲୋକେ ରାସ୍ତା ଅବରୋଧ କରିବାରୁ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଖବରପାଇ ତାଳଚେର ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଜାରି ରଖିଛନ୍ତି।