ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଅଗ୍ରାହ୍ୟ କରିଦେଇଛନ୍ତି। ବର୍ତ୍ତମାନ ଡିଗ୍ରୀ ପାଠ୍ୟକ୍ରମ ୫ ବର୍ଷ ରହିଥିବାବେଳେ ଦ୍ୱାଦଶ ଶ୍ରେଣୀ ପରେ ଏଲ୍ଏଲ୍ବିକୁ ୩ ବର୍ଷିଆ କରିବା ପାଇଁ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଏହାର ସମ୍ଭାବ୍ୟତାକୁ ଅନୁଧ୍ୟାନ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ର ସରକାର ଏବଂ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେବା ନିମନ୍ତେ ପିଟିଶନରେ ନିବେଦନ କରାଯାଇଥିଲା। ତେବେ ୫ ବର୍ଷିଆ ଏଲ୍ଏଲ୍ବି ପାଠ୍ୟକ୍ରମ ଭଲ କାମ କରୁଛି। ଏଥିରେ ପରିବର୍ତ୍ତନ କରାଯିବାର କିଛି ଆବଶ୍ୟକତା ନାହିଁ ବୋଲି ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲାଙ୍କ ଖଣ୍ଡପୀଠ କହିଛନ୍ତି। ୩ ବର୍ଷିଆ ପାଠ୍ୟକ୍ରମ କାହିଁକି ହେବ। ସେମାନେ କ’ଣ ହାଇସ୍କୁଲ୍ ପରେ ଆଇନ ପଢ଼ା ଆରମ୍ଭ କରିପାରିବେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏପରିକି ୫ ବର୍ଷିଆ ପାଠ୍ୟକ୍ରମ ମଧ୍ୟ ବହୁତ କମ୍। ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସିଜେଆଇ କହିଥିଲେ। ୫ ବର୍ଷିଆ ପାଠ୍ୟକ୍ରମ ଲାଭଦାୟକ ହେଉଥିବା ଦର୍ଶାଇ ଖଣ୍ଡପୀଠ ଜନସ୍ବାର୍ଥ ମାମଲା ପ୍ରତ୍ୟାହାର କରିନେବା ପାଇଁ ଅନୁମତି ଦେଇଛନ୍ତି।