ୟୁନିଭର୍ସିଟି ଲ’ କଲେଜରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଜାରି ରହିବ

ଭୁବନେଶ୍ୱର,୩।୭(ଅସମାପିକା ସାହୁ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଜାରି ରହିବ। ଏନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ହଟାଇ ଦିଆଯାଇଥିଲା, ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କୌଣସି କାରଣ ନ ଥାଇ ଏହି ପାଠ୍ୟକ୍ରମରେ ନୂଆ ନାମଲେଖା ପ୍ରକ୍ରିୟା ବନ୍ଦ କରାଯିବାକୁ ଛାତ୍ରୀଛାତ୍ର ସହଜରେ ଗ୍ରହଣ କରିପାରୁ ନ ଥିଲେ। ପୂର୍ବରୁ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ଅଧ୍ୟାପକ ଅଭାବ ଓ ଆନୁଷଙ୍ଗିକ ଅସୁବିଧା କାରଣରୁ ବନ୍ଦ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମସୁଧା କରୁଥିଲେ। ଏହା ଅବଗତ ହେବା ପରେ ଛାତ୍ରୀଛାତ୍ର ତୀବ୍ର ବିରୋଧ କରିଥିଲେ। ବହୁ କମ୍‌ ସ୍ଥାନରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଥିବାବେଳେ କାହିଁକି ବନ୍ଦ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏନେଇ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେଖାକରି ପାଠ୍ୟକ୍ରମ ଜାରି ରଖିବାକୁ ଦାବି ଜଣାଇଥିଲେ। କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଛାତ୍ରୀଛାତ୍ରଙ୍କୁ ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର କୁଳପତି ଓ କୁଳସଚିବ କାହ୍ନୁଚରଣ ଧୀରଙ୍କୁ ଭେଟି ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଚାଲୁ ରଖିବାକୁ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ଆଲୋଚନା କାଳରେ ପାଠ୍ୟକ୍ରମ ଜାରି ରହିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଥିବା ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ଆଲୋଚନାବେଳେ ଦେବେଶ କୁମାର ଦାଶ, ସ୍ବରୂପ ରଞ୍ଜନ ମଲ୍ଲିକ, ସତ୍ୟମେବ ଜୟତେ, ରାଜଲକ୍ଷ୍ମୀ ପଟ୍ଟନାୟକ, ଚନ୍ଦନ ପାଟଖଣ୍ଡା, ସୌମ୍ୟରଞ୍ଜନ ପ୍ରଧାନ ଓ ଅମିତ ଜେନାଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।