ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା

ବରଗଡ଼,୨୨।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁୟାରୀ ୩ରୁ ଆରମ୍ଭ ହେବ। ତେବେ ଆଗାମୀ ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ ଭାଷାରେ କରିବାକୁ ସ୍ଥାନୀୟ କୋଶଲ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ କମିଟି ପକ୍ଷରୁ ସୋମବାର ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ ଭାଷାରେ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। କିନ୍ତୁ ସମୟର ସ୍ବଳ୍ପତା ଆଳରେ ଏହି ଦାବିକୁ ଧନୁଯାତ୍ରା ମହୋତ୍ସବକୁ ସେତେବେଳେ ଅଣଦେଖା କରାଯାଉଛି। ଆସନ୍ତା ଧନୁଯାତ୍ରା ମହୋତ୍ସବକୁ ପ୍ରାୟ ଅଢ଼େଇ ମାସ ରହିଛି। ଫଳରେ ଅନ୍ୟବର୍ଷ ଭଳି ଆଳ ନ ଦେଖାଇ ଏଥର ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରିବା ପାଇଁ ଏବେଠାରୁ ଘୋଷଣା କରିବାକୁ ଦାବି ହୋଇଛି। ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ହେଲେ ମହୋତ୍ସବ ଆହୁରି ଆକର୍ଷଣୀୟ ହେବ। ଫଳରେ ଏହି ଦାବି ଉପରେ ନୂଆ ସରକାର ଏବଂ ପ୍ରଶାସନ ନିଶ୍ଚୟ ପଦକ୍ଷେପ ନେବେ ବୋଲି କୋଶଲ ଜଏଣ୍ଟ ଆକ୍ସନ କମିଟି ଆଶାବ୍ୟକ୍ତ କରିଛି। ଅନ୍ୟପଟେ ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରିବା ପାଇଁ ବିଗତ ବର୍ଷ ଗୁଡ଼ିକରେ ସ୍ମାରକପତ୍ର ପ୍ରଦାନଠାରୁ ଆରମ୍ଭ କରି ଅନଶନ କରାଯାଇଥିଲା। କିନ୍ତୁ ସେତେବେଳେ ସମୟ କମ୍‌ ରହିଥିବା ଆଳ ଦେଖାଯାଇଥିଲା। ମାତ୍ର ଏଥର ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସୁଶାନ୍ତ ମିଶ୍ର, ଡୋଲାମଣି ମହାପାତ୍ର, ଆକାଶ ପଣ୍ଡା, ନନ୍ଦନ ମହାନନ୍ଦ, ବାସମତୀ ବନଛୋର, ସଂଘମିତ୍ରା ପଟେଲ, ଦୀପକ ମହାପାତ୍ର, ଅଜିତ ପତି, ବଳିଷ୍ଠ ଦୁର୍ଗା, ଦୀପକ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share