ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା ବିଭିନ୍ନ ଦାବି ପୂରଣ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ନଭେମ୍ବର ୨୧ରୁ ବିଭିନ୍ନ ଦାବି ନେଇ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାରୁ ଅଚଳାବସ୍ଥା ଜାରି ରହିଛି। ଏହି ଧାରଣାରେ ବ୍ଲକରେ କାର୍ଯ୍ୟରତ ଅଙ୍ଗନଓ୍ବାଡି ଓ ମିନି ଅଙ୍ଗନଓ୍ବାଡି ୨୬୩ଟି କେନ୍ଦ୍ରର ୪୫୦ ଜଣ ଅଙ୍ଗନଓ୍ବାଡିକର୍ମୀ ଓ ପାଚିକା ସାମିଲ ହୋଇଛନ୍ତି। ସେମାନଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକର ସମ୍ପାଦିକା ପ୍ରେମଲତା ଆଚାର୍ଯ୍ୟ, ବିଷ୍ଣୁପ୍ରିୟା ବେଜ, ମୀନା ପତି, କମଳା ମହାନ୍ତ, ମନୋରମା ମହାନ୍ତ, ଓ ମେନକା ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ଅଙ୍ଗନଓ୍ବାଡି କର୍ମୀ ମାନ୍ୟତା,ମାସକୁ ସର୍ବନିମ୍ନ ଦରମା ୨୧ ହଜାରକୁ ବୃଦ୍ଧି ସହ ଦରଦାମ ବୃଦ୍ଧି ଯୋଗୁ୍‌ ରନ୍ଧା ଖାଦ୍ୟ ଦର ବୃଦ୍ଧି ଆଦି ରହିଛି। ଏମାନଙ୍କ ଆନ୍ଦୋଳନ ଯୋଗୁ ବ୍ଲକର ୨୬୩ଟି କେନ୍ଦ୍ର ଏବେ ବନ୍ଦ ଥିବା ଜଣାପଡ଼ିଛି।