ସିନାପାଲି,୨୪।୨(ଡି.ଏନ.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ଫୁରସୁଣ୍ଡ ୟୁପି ସ୍କୁଲରେ ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ତୃତୀୟ ଦିନରେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ତାଲା ଖୋଲି ପାଠପଢା ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାର ୨ଜଣ ନୂତନ ଶିକ୍ଷକ ଯୋଗଦେଇଥିବା ବେଳେ ଆସନ୍ତା ଏକ ମାସ ମଧ୍ୟରେ ପୁଣି ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରୁ ଉଠିଥିଲେ। ଗତ ମଙ୍ଗଳବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବି ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ବୁଧବାର ଖବର ପାଇ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳଙ୍କାରୀଙ୍କୁ ବୁଝାଶୁଝା କରିଥିଲେ। ଆଲୋଚନା ବିଫଳ ହେବାରୁ ଫେରିଯାଇଥିଲେ। ଗୁରୁବାର ପୁଣି ବିଭାଗୀୟ ଅଧିକାରୀ ରୁଦରେଶ୍ୱର ମେହେର, ପ୍ରଭାତ ପାତ୍ର, ମହେଶ୍ୱର ଗୁଆଲ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଶିକ୍ଷକ ପଦବୀ ପୂରଣ ର ପ୍ରତିଶ୍ରୁତି ପରେ ଧାରଣରୁ ଉଠି ବିଦ୍ୟାଳୟ ଖୋଲାଯାଇଥିଲା। ବର୍ତ୍ତମାନ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଠପଢା ପ୍ରତି ବିଶେଷ ଦୃଷ୍ଟି ଦେଇ ବିଭାଗୀୟ ଅଧିକାରୀ ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।