ରାଜ୍ୟକୁ କେନ୍ଦ୍ରର ଚିଠି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ରହିବନି ବିଜୁ ପକ୍କା ଘର ଲୋଗୋ

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କାଘର ଯୋଜନାର ଲୋଗୋ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି କେନ୍ଦ୍ର। ଶନିବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାକୁ ରାଜ୍ୟରେ ଅବିକଳ ଭାବେ ଏବଂ ସେହି ନାଁରେ ଲାଗୁ କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହକୁ କେବଳ ଏହି ନାଁର ଲୋଗୋ ଲଗାଇବାକୁ ରାଜ୍ୟ ସରକାରଙ୍କୁ ଚିଠିରେ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଦୁଇଟି ଯାକ ଲୋଗୋ ଥାଇ ଷ୍ଟିକର ଲଗାଯିବା ଘଟଣାକୁ ପୂର୍ବରୁ ବିରୋଧ କରିଆସୁଥିଲା ଭାଜପା। ଏପରିକି ରାଜ୍ୟପାଳଙ୍କୁ ମଧ୍ୟ ଏ ନେଇ ଭାଜପା ଆପତ୍ତି କରିବା ସହ ବିଜୁ ପକ୍କାଘର ଯୋଜନାର ଷ୍ଟିକର ହଟାଇବାକୁ ଦାବି କରି ସ୍ମାରକପତ୍ର ଦେଇଥିଲା।

ସେହିପରି ଗତ ଫେବ୍ରୁଆରୀ ୧୨ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ତ୍ୱରେ ଭାଜପା ସାଂସଦମାନଙ୍କ ଏକ ଟିମ୍‌ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ଲାଗି ଅନୁରୋଧ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ ଲୋଗୋ ଲଗାଇବାକୁ ରାଜ୍ୟକୁ କୁହାଯାଇଛି।

Share