ନୀଳପଥର ଲୁଟ୍‌ ରୋକାଯାଉନି

କାଳିଆପାଣି,୯ା୨(ଅସିତ ମହାନ୍ତ): ଯାଜପୁର ଜିଲା ଦୈତାରୀ ସଂରକ୍ଷିତ ଟିକରପଡ଼ା ଜଙ୍ଗଲରୁ ନୀଳପଥର ଲୁଟ୍‌ ଚାଲିଛି। ହେଲେ ଏହାକୁ ରୋକାଯାଉନାହିଁ। ଏହା ଉପରେ ବାହାର ରାଜ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ମାତ୍ର ଏକଥା ବନ ବିଭାଗ ଅଧିକାରୀ ଜାଣି ଅଜଣା ପରି ହେଉଥିବା ଅଭିଯୋଗ ହୋଇଛି।ବାରମ୍ବାର ନୀଳପଥର ଲୁଟ୍‌ ଅଭିଯୋଗ ପରେ ଜାନୁଆରୀ ୨୧ରେ ମଧ୍ୟପ୍ରଦେଶ ଯାଉଥିବା ନୀଳପଥର ବୋଝେଇ ୨ ଟ୍ରକ୍‌କୁ ବନ ବିଭାଗ ଜବତ କରିଥିଲା। ଏଥିସହିତ ୨ ଗାଡ଼ି ଚାଳକ ଓ ଜଣେ ହେଲ୍‌ପରଙ୍କୁ ଗିରଫ କରିଥିଲା। ଏହାପରେ ଏବେ ମାଫିଆମାନେ ତରିକା ବଦଳାଇ ବ୍ୟାପକଭାବେ ନୀଳ ପଥର ଚୋରାଚାଲାଣ କରୁଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଟିକରପଡ଼ା ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସେ ଅଞ୍ଚଳକୁ ଯାତାୟାତ ନ ଥିଲା। ୨୦୧୦ରେ ଟିକରପଡ଼ା ଅଞ୍ଚଳକୁ ଆଇଏପି ଯୋଜନାରେ କଂକ୍ରିଟ ରାସ୍ତା ହେବାପରେ ଟିକରପଡ଼ା ଗାଁକୁ ଯୋଗାଯୋଗ ହୋଇଥିଲା। ତେଣୁ ସେ ଅଞ୍ଚଳକୁ ବାହାର ଲୋକଙ୍କ ଯାତାୟାତ ହେବାରୁ ମୂଲ୍ୟବାନ ନୀଳପଥର ଉପରେ ମାଫିଆଙ୍କ ନଜର ପଡ଼ିଥିଲା। ମାଫିଆ ସ୍ଥାନୀୟ ଲୋକଙ୍କ ଦ୍ୱାରା କମ ମୂଲ୍ୟରେ ପଥର ସଂଗ୍ରହ କରି ବେଧଡ଼କଭାବେ ଚାଲାଣ କରୁଛନ୍ତି। ସେ ସମୟରେ କାଳିଆପାଣି ଥାନା ଅଧିକାରୀ ଥିବା ଯୁବରାଜ ସ୍ବାଇଁ ପଥର ମାଫିଆଙ୍କୁ ଗିରଫ କରିବା ସହ ଚାଲାଣ ହେଉଥିବା ପଥରକୁ ସୁଦୂର ରାଜସ୍ଥାନରୁ ପଥର ଜବତ କରିଥିଲେ। ଥାନା ଅଧିକାରୀଙ୍କ ବଦଳି ପରେ ପଥର ମାଫିଆ ପୁଣି ସ୍ଥାନୀୟ ଲୋକଙ୍କୁ ଧରି ରାତ୍ରିରେ ପଥର ଭଙ୍ଗାଉଛନ୍ତି। ପଥର ଭାଙ୍ଗିବା ପରେ ଆସି ସାଇଜ ଅନୁଯାୟୀ ମୂଲ୍ୟ ଧାର୍ଯ୍ୟ କରୁଛନ୍ତି। ପଥର ଭଙ୍ଗାଯାଇ ଗାଡ଼ି ଆସି ପାରୁଥିବା ଅଞ୍ଚଳକୁ ମୁଣ୍ଡରେ ବୋହି ଅଣାଯାଇଛି। ପରେ ସିମେଣ୍ଟ ବସ୍ତାରେ ପ୍ୟାକେଟ କରି ପିକଅପ୍‌ ଭ୍ୟାନରେ ଚାଲାଣ କରାଯାଉଛି। ପ୍ରତିଦିନ ମାଫିଆମାନେ ବେଧଡ଼କ ପଥର ଚାଲାଣ କରୁଥିବା ଅଞ୍ଚଳଲୋକେ ଅଭିଯୋଗ କରିଛନ୍ତି। ଟମକା ଫରେଷ୍ଟର ଓ ଟମକା ପୋଲିସ ତୀକ୍ଷ୍ମ ନଜର ରଖିଥିବାରୁ ମାଫିଆ ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଟମକା ରାସ୍ତା ବଦଳାଇ କାଲିଆପାଣି ଥାନା ଦେଇ କାମାକ୍ଷାନଗର ରାସ୍ତାରେ ଗାଡ଼ି ନେଉଥିବା ନିଜ ନାମ ଗୋପନ ରଖି ବନ ବିଭାଗର ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ସରକାର ସୁକିନ୍ଦା ଖଣି ଅଞ୍ଚଳରୁ କ୍ରୋମାଇଟ ଉତ୍ପାଦନ କରି ଦେଶ ଓ ରାଜ୍ୟ ରାଜକୋଷ ସମୃଦ୍ଧ କରୁଥିବାବେଳେ ନୀଳପଥରକୁ ଖଣିଠୁ ଜଙ୍ଗଲ ବିଭାଗ ପର୍ଯ୍ୟନ୍ତ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।