ପୁରୀ ଅଫିସ,୩୦।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁଦିଅଙ୍କୁ ସୁନା ବେଶରେ ସଜାଯାଇଛି। ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଠାକୁରଙ୍କୁ ବିଭୂଷିତ କରିଛନ୍ତି। ଏହି ବେଶରେ ସୂବର୍ଣ୍ଣ ତ୍ରିଭୁଜ, କିରିଟ ତ୍ରିପୟର, କାନ, କଦମ୍ବ ମାଳି, ହରିଡା ମାଳି, ବାହାଡା ମାଳି, ଚନ୍ଦ୍ର ସୂର୍ଯ୍ୟ, ଓଡିଆଶୀ, ଘାଗଡ଼ା ମାଳି ପ୍ରଭୃତି ଲାଗି କରାଯାଇଛି। କିନ୍ତୁ ମହାପ୍ରଭୁଙ୍କ ଏହି ଦୂର୍ଲଭ ବେଶକୁ ଭକ୍ତମାନେ ଦର୍ଶନ କରିପାରୁ ନାହାନ୍ତି। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। କିନ୍ତୁ ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି। ତେବେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।