ପୁରୀ ଅଫିସ, ୯ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଶ୍ରୀବିଗ୍ରହଙ୍କ ଗୁପ୍ତସେବା ଜାରି ରଖିଛନ୍ତି। ଦାରୁଦିଅଁଙ୍କ ନିକଟରେ ପଣା ଓ ଚକଟା ଭୋଗ ଲାଗିକରାଯାଉଛି। ଅନବସରର ଚତୁର୍ଥ ଦିବସରେ ଗୁରୁବାର ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟାନୀତି ସମ୍ପାଦିତ କରିଥିବାବେଳେ ପଞ୍ଚମ ଦିବସରେ ଶୁକ୍ରବାର ଅଣସର ପିଣ୍ଡିରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଇଛି। ଦଇତାପତି ସେବକମାନେ ଏହି ଫୁଲୁରି ତେଲ ଲାଗିକରିଛନ୍ତି।
ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତିବର୍ଷ ଅଣସର ସମୟରେ ବଡ଼ ଓଡ଼ିଆ ମଠ ପକ୍ଷରୁ ୬ ସେର ଫୁଲୁରି ତେଲ ଯୋଗାଇ ଦିଆଯାଇଥାଏ। ଏହି ତେଲକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ। ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ଯଥା କେତକୀ, ହେନା, ଯୁଇ, ମଲ୍ଲୀ ଆଦି ଅନେକ ସୁଗନ୍ଧିତ ପୁଷ୍ପ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ। ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଏ। ପରେ ତେଲକୁ ଛଣାଯାଇ ମାଟିପାତ୍ରରେ ରଖାଯାଏ। ଅଣସରର ପଞ୍ଚମ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗିପାଇଁ ପଠାଯାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଭୋଗ ସମ୍ପନ୍ନ ପରେ ମଠରୁ ଉକ୍ତ ଫୁଲୁରି ତେଲ ଶ୍ରୀମନ୍ଦିରକୁ ଯାଇଥାଏ। ପତିମହାପାତ୍ର ସେବକ ୩ଟି ରୁପାପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତାହାକୁ ମାଲିସ୍ କରିଥାନ୍ତି। ଜ୍ୱରାକ୍ରାନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ୍ କରାଯିବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି।