ପୁରୀ ଅଫିସ,୫।୩: ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥି ଶନିବାର ଅବସରରେ ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ମହାପ୍ରଭୁଙ୍କ ଚତୁର୍ଥ ବେଣ୍ଟ ନୀତି ଶ୍ରଜଗନ୍ନାଥ ବଲ୍ଲଭ ପରିସରରେ ଥିବା ବେଣ୍ଟ ପୋଖରୀରେ ସମ୍ପନ୍ନ ହୋଇଛି। ଶନିବାର ଶ୍ରୀବିଗହମାନଙ୍କର ମଙ୍ଗଳ ଆଳତି ସରିବା ପରେ ମହାଜନ ସେବକମାନେ ନୀତି ନିମନ୍ତେ ଦକ୍ଷିଣଘରୁ ଶ୍ରୀରାମ ଚନ୍ଦ୍ରଙ୍କ ବିଗ୍ରହକୁ ରତ୍ନ ସିଂହାସନକୁ ନେଇଥିଲେ। ସେଠାରେ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଏକ ଆଜ୍ଞାମାଳ ଆଣି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ଆଜ୍ଞାମାଳ ପାଇବା ପରେ ମହାଜନ ସେବକମାନେ ବେଣ୍ଟ (ଶିକାର) ନୀତି ନିମନ୍ତେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ବିମାନରେ ବିଜେ କରାଇଥିଲେ। ପରେ ବିମାନବଡୁ ସେବକମାନେ ବିମାନରେ ଠାକୁରଙ୍କୁ ନେଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ସେଠାରେ ମହାଜନ ସେବକ ଠାକୁରଙ୍କୁ ଖଟ ଉପରେ ବିଜେ କରାଇ ବନ୍ଦାପନା ସମ୍ପନ୍ନ ହେବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମହାଜନଙ୍କ ହସ୍ତରେ ବେଣ୍ଟ ନୀତି ନିମନ୍ତେ ମଠ ପରିସରରେ ଥିବା ବେଣ୍ଟ ପୋଖରୀକୁ ବିଜେ ହୋଇଥିଲେ। ଶରଗୁଡିକୁ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଲଗାଇ ପୂଜାପଣ୍ଡା ସାମନ୍ତ ଶରଗୁଡିକୁ ଅଭିମନ୍ତ୍ରିତ କରି ଲେଙ୍କା ସେବକ ବା ଦଳ ବେହେରାଙ୍କୁ ଦିଅନ୍ତି। ଲେଙ୍କା ସେବକ ପଇଡ଼ଗୁଡିକୁ ମୁର୍ଗ ଭାବେ ବିବେଚନା କରି ପଇଡ଼କୁ ଶରବିଦ୍ଧ କରିଥାନ୍ତି। ନୀତି ନିମନ୍ତେ ସେଠାରେ ପୂର୍ବରୁ ୬ଟି ପଇଡ଼ ରଖାଯାଇଥିଲା। ସେଥିମଧ୍ୟରୁ ଲେଙ୍କା ୫ଟିରେ ତୀର ମାରିଥିଲେ। ଗୋଟିଏ ଅକ୍ଷତ ଅବସ୍ଥାରେ ସାଙ୍ଗରେ ନେଇ ଆସିଥିଲେ। ଏହାପରେ ଅବକାଶ, ମଇଲମ, ସ୍ନାନ, ଶୀତଳ ଭୋଗ, କର୍ପୂର ଆଳତି, ବନ୍ଦାପନା ଆଦି ନୀତି କରାଯାଇଥିଲା। ପରେ ଠାକୁର ବିମାନରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।