Categories: ଜାତୀୟ

ଲଭ୍‌ ଜିହାଦ ନିରୋଧୀ ଆଇନର କେତେକ ଧାରା ଉପରେ ସ୍ଥଗିତାଦେଶ

ଅହମଦାବାଦ,୨୦।୮: ଧର୍ମାନ୍ତରୀକରଣ ବିରୋଧରେ ଅଣାଯାଇଥିବା ନୂଆ ଆଇନର ଆନ୍ତଃଧର୍ମ ବିବାହ ସମ୍ପର୍କିତ କେତେକ ଧାରାର କାର୍ଯ୍ୟକାରିତା ଉପରେ ଗୁଜରାଟ ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଲଗାଇଛନ୍ତି। ଜନସାଧାରଣଙ୍କୁ ଅଯଥା ହଇରାଣରୁ ରକ୍ଷା କରିବା ପାଇଁ ଏହି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଗଲା ବୋଲି ମୁଖ୍ୟ ବିଚାରପତି ବିକ୍ରମ ନାଥ ଏବଂ ଜଷ୍ଟିସ୍‌ ବୀରେନ ବୈଷ୍ଣବଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ବିବାହ ନାଁରେ ବଳପୂର୍ବକ କିମ୍ବା ଧୋକାବାଜି କରି ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ରାଜ୍ୟ ସରକାର ଜୁନ୍‌ ୧୫ରେ ଗୁଜରାଟ ଧର୍ମୀୟ ସ୍ବାଧୀନତା (ସଂଶୋଧନ) ଆଇନ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ତେବେ ଏହି ଆଇନର କେତେକ ସଂଶୋଧିତ ଧାରା ଅସାମ୍ବିଧାନିକ ଦର୍ଶାଇ ଜମାଏତ୍‌ ଉଲେମା-ଇ-ହିନ୍ଦ୍‌ର ଗୁଜରାଟ ଚାପ୍ଟର ଗତ ମାସରେ ହାଇକୋର୍ଟରେ ପିଟିଶନ ଦାଏର କରିଥିଲା। ମାମଲାର ଅଧିକ ଶୁଣାଣି ଆବଶ୍ୟକ ଥିବା ଅନୁଭବ କରି ବିନା ଚାପ ଏବଂ ପ୍ରଲୋଭନ କିମ୍ବା ଷଡ଼ଯନ୍ତ୍ରରେ ଗୋଟିଏ ଧର୍ମର ବ୍ୟକ୍ତି ଅନ୍ୟ ଧର୍ମରେ ବିବାହ କରୁଥିଲେ, ଏହାକୁ ବେଆଇନ ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ ବିବାହ କୁହାଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ନାଥ କହିଥିଲେ। ଏଭଳି କ୍ଷେତ୍ରରେ ନୂଆ ଲଭ୍‌-ଜିହାଦ ବିରୋଧୀ ଆଇନର ଧାରା ୩, ୪, ୪ଏରୁ ୪ସି, ୫, ୬ ଏବଂ ୬ଏ କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଲାଗି ଖଣ୍ଡପୀଠ କହିଥିଲେ।

Share