ପ୍ରେମରେ ଅନେକ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ। ଠିକ୍ ସେମିତି ନିଜ ପ୍ରେମର ଆଶାକୁ ସଫଳ କରିବାକୁ ବୁଲନ୍ ଦାଶ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେଇଛି। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାକୁ ସାମ୍ନା କରିବାକୁ ସେ ତୟାର। ନିଜକୁ ଜଣେ ସଫଳ ପ୍ରେମିକ ଭାବରେ ପରିଚିତ କରାଇବାକୁ ସେ ପଣ କରିଛି। ଅନ୍ୟମାନଙ୍କ ମୁହଁରେ ଖୁସି ଦେଖିବାକୁ ବୁଲନ୍ ସବୁବେଳେ ଚେଷ୍ଟା କରିଥାଏ। ଏପରି ବିଷୟବସ୍ତୁକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ବୁଲନ୍ ଦାଶଙ୍କ ପ୍ରେମ କାହାଣୀ’। ଏହାର ପ୍ରଯୋଜନା କରିବା ସହ ଚିତ୍ରନାଟ୍ୟ ରଚନା ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ପରମେଶ୍ୱର ଦାଶ (ବୁଲନ୍ ଭାଇ)। ଉକ୍ତ ସିନେମାର ଅନ୍ୟତମ ପ୍ରଯୋଜକ ଅଛନ୍ତି ‘ମନ ମୋର କାଗଜଗୁଡି’ର ପ୍ରଯୋଜନା କରିଥିବା ବିବେକାନନ୍ଦ ବାରିକ। ମା’ ବିରଜା ପ୍ରଡକ୍ସନ ବ୍ୟାନରରେ ଏହାର କଳାକାର ଚୟନ ପ୍ରକ୍ରିୟା ଚାଲୁ ରହିଛି ଏବଂ ଖୁବ୍ ଶୀଘ୍ର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ।