ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ହାତଗୋଡ଼ ବାନ୍ଧି ଟ୍ରେନ୍‌ ଲାଇନ୍‌ରେ ପକାଇଦେଲେ ପରିବାର ଲୋକେ

ଜୟପୁର,୪ା୨: ରାଜସ୍ଥାନର ଭରତପୁର ଜିଲାର ବୟାନା ଥାନା ପୋଲିସ ଅଞ୍ଚଳର ଶେରଗଡ଼ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ପରିବାର ସଦସ୍ୟ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ରବିବାର ସକାଳେ ଗାଁ ଦେଇ ଯାଉଥିବା ଦିଲ୍ଲୀ-ମୁମ୍ବାଇ ରେଲ୍‌ଓ୍ବେ ଟ୍ରାକ୍‌ରେ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସୂଚନା ପାଇବା ପରେ କୋଟଓ୍ବାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ନେଇ ବୟାନା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା।

ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନର କରାଯାଇଛି। ମୃତ ଯୁବକଙ୍କ ପିତା ଯୁବତୀଙ୍କ ପରିବାର ନାମରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ଡାକ୍ତରଖାନାରେ ଉପସ୍ଥିତ ମୃତ ଯୁବକ ଜୀବନଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଜୀବନ ସେହି ଗାଁର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଶନିବାର ରାତିରେ ସେ ସାକ୍ଷାତ କରିବାକୁ ଯୁବତୀଙ୍କ ଘରକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ପରିବାର ଉଭୟଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲେ।

ଏହା ପରେ ଯୁବତୀଙ୍କ ପରିବାର ସଦସ୍ୟ ଜୀବନଙ୍କୁ ଖୁବ୍‌ ପିଟିଥିଲେ। ଜୀବନଙ୍କ ପିତା ଗୋବିନ୍ଦ ଗୁରୁଜାର ଅଭିଯୋଗ କରିଛନ୍ତି ଯେ, ଏହା ପରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଦଉଡ଼ିରେ ବାନ୍ଧି ରେଳ ଟ୍ରାକ୍‌ରେ ଫିଙ୍ଗି ଦେଇଛନ୍ତି। ସେଠାରେ ଟ୍ରେନ ଧକ୍କା ହେବା ପରେ ତାଙ୍କର ମୃତ୍ୟୁ ଘଟିଛି।

ଟାଉନ ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଏଏସ୍‌ଆଇ ନିର୍ଭର ସିଂ ଗୁରୁଜାର କହିଛନ୍ତି, ମୃତ ଯୁବକଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ଝିଅଘର ଲୋକେ ମାରିଦେଇଛନ୍ତି। ତେବେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ କରାଯିବ। ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share