
ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ପ୍ରଧାନୀପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲ୍ୟାଣୀ ନଦୀରେ ବ୍ରିଜ ନିର୍ମାଣ ୨୦୨୩ରେ ମେ’ ମାସରେ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାମ ସରି ନ ଥିବା ବେଳେ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହେଉଛି। ଫଳରେ ପୁଣି ୩୫୦ ପରିବାର ବର୍ଷାଦିନେ ଜଳବନ୍ଦୀ ହେବାର ଆଶଙ୍କା ରହିଛି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଠିକାଦାର ଓ ବିଭାଗୀୟ ଅବହେଳା ଯୋଗୁ ଅନେକ ଯୋଜନାର ସୁଫଳ ହୋଇ ପାରୁନାହିଁ। ଏହିଭଳି ଏକ ଅଭିଯୋଗ ଆସିଛି ଜଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାଯତ ସାହାଜପଡା ଗାଁ ନିକଟରେ ଥିବା କଲ୍ୟାଣି ନଦୀ ବ୍ରିଜ ନିର୍ମାଣରେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଶୁଣୁନାହାନ୍ତି ରାଜନେତା କି ତଦାରଖ ପାଇଁ ଆସୁନାହାନ୍ତି ଯନ୍ତ୍ରୀ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଜେପୁର ପ୍ରଧାନୀପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ୪ କିମି ପାଦଚଲା ରାସ୍ତା ମଝିରେ କଲ୍ୟାଣୀ ନଦୀ ରହିଥିବା ବେଳେ ସମ୍ପୂର୍ଣ୍ଣ ଭାବେ ସାହଜପଡ଼ାରୁ ଡକରିଗୁଡ଼ା, ବଣ୍ଡେଲ, ଗାଟ୍ରାଗୁଡା,ବାରଗୁଡ଼ା ଓ ବାଲିସରା ଗାଁକୁ ମଧ୍ୟ ପାଦଚଲା ରାସ୍ତା ରହିଛି। ଏମାନେ ମଧ୍ୟ ଏହି ନଦୀ ଯୋଗୁ ଜଳବନ୍ଦୀ ମଧ୍ୟରେ ରହୁଛନ୍ତି। ଫଳରେ ବର୍ଷା ଦିନେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁରକୁ ଓ ବ୍ଳକ କାର୍ଯ୍ୟାଳୟ ବିଶନାଥପୁରକୁ ଯିବା ପାଇଁ ଲୋକେ ନାନା ଅସୁବିଧା ଭୋଗୁଥିଲେ। ସ୍ବାସ୍ଥ୍ୟ ଉପକେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ରହିଥିବା ଯୋଗୁ ୬ ମାସ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ଆଉ ୬ ମାସ କଲ୍ୟାଣି ନଦୀରେ ପାଣି କମିବା ପରେ ବାଲିବସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳୁଥିଲା।
ପଞ୍ଚାୟତରୁ ପିଡିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବା, ଗୋରୁ ନଦୀ ପାର ହେବା, ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନାକୁ ଖଟିଆରେ ବୋହି ନେଉଥିବା ଦୃଶ୍ୟ ବର୍ଷ ବର୍ଷ ଧରି ନିତିଦିନିଆ ହୋଇଯାଇଛି ବୋଲି ଗାଁ ଲୋକେ ପ୍ରକାଶ କରିବା ସହ ସାହାଜପଡ଼ା ଓ ବିଜେପୁର ପ୍ରଧାନୀପଡ଼ା ମଧ୍ୟରେ ଥିବା କଲ୍ୟାଣୀ ନଦୀରେ ପୋଲ ର୍ନିମାଣ କରିବାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ, ସାଂସଦ, ବିଧାୟକ, ବିଡିଓ, ସରପଞ୍ଚଙ୍କ ପାଖରେ ବର୍ଷ ବର୍ଷ ଧରି ଏହି ୬ଟି ଗ୍ରାମର ଅଧିବାସୀ ଗତ ୪୦ ବର୍ଷ ହେଲା ଦାବି ଜଣାଇ ଆସୁଥିଲେ । ଏହା ସହିତ ଏହି ଗ୍ରାମବାସୀମାନେ ବାରମ୍ବାର ଭୋଟ୍ ବର୍ଜନ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।
ସରକାର ଏହାକୁ ଗୁରୁତର ସହ ଗ୍ରହଣ କରି ୨୦୨୩ରେ ଏହି ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ହୋଇ ମେ’ ମାସରେ କାମ ଆରମ୍ଭ କରିଥିଲେ। କିନ୍ତୁ ଠିକାଦାର ଜଣଙ୍କ ନିଜ କାମ ସ୍ଥାନକୁ ନଆସି ଆଉ ଜଣେ ଠିକାଦାରଙ୍କୁ ଦାଇତ୍ୱ ଦେଇଥିବା ବେଳେ ସେହି ଠିକାଦାର ଜଣକ ଜଣେ ମିସ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଦାଇତ୍ୱ ଦେଇଥିବା ବେଳେ କାମ ସ୍ଥାନକୁ ବିଭାଗୀୟ ଯନ୍ତ୍ରୀ ତଦାରଖ ପାଇଁ ଆସୁନଥିବାରୁ ନିମ୍ନମାନର କାମକୁ ନେଇ ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ନଦୀର ପୋଲ ନିର୍ମାଣ ପାଇଁ ପିଲର କରି କିଛି ଲୁହା ଛଡ଼ ଠିଆ କରି କିଛି ଦିନ କାମ କରିଥିବା ବେଳେ ମନ୍ଥର ଗତିରେ ଚାଲିଥିବା ଏହି ପୋଲ କାମ ଶୀଘ୍ର ଆରମ୍ଭ ନ ହେଲେ ବର୍ଷା ଦିନ ସମ୍ପୂର୍ଣ୍ଣ ଭାବେ ପୋତି ହୋଇ ଯିବ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି। ଯାହା ଫଳରେ ପୁଣି ୩୫୦ ପରିବାର ଜଳବନ୍ଦୀର ଆଶଙ୍କା ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ କଳାହାଣ୍ଡି ଜିଲାପାଳ ଓ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।