କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ ଏକ ପୁରୁଣା ଫ୍ରିଜ୍ କିଣିଥିଲେ। ଏଥିରେ ଲୁଚେଇ ରଖାଯାଇଥିବା ୧୩୦୦୦୦ ଡଲାର ଅର୍ଥାତ୍ ୯୬, ୩୫,୮୬୦ ଟଙ୍କା ତାଙ୍କୁ ଏଥିରୁ ମିଳିଛି। ପୋଲିସ ଏହାର ଯାଞ୍ଚ କରୁଛି।
ଦକ୍ଷିଣକୋରିଆ ପୋଲିସ କହିଛି, ବ୍ୟବହାର ହୋଇଥିବା ପୁରୁଣା ଫ୍ରିଜ୍ କିଣିବା ପାଇଁ ବ୍ୟକ୍ତିଜଣକ ଅନ୍ଲାଇନ୍ରେ ମଗାଇଥିଲେ। ଏଥିରୁ ଏତେ ପରିମାଣର ଟଙ୍କା ଟେପ୍ ଗୁଡ଼ା ହୋଇ ଫ୍ରିଜ୍ ବକ୍ସ ଭିତରେ ରଖାଯାଇଥିଲା। ଏହି ବ୍ୟକ୍ତି ଜଣକ ନିଜେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ କହିଛି, ଏହି ଫ୍ରିଜ୍ ମାଲିକ ଏବଂ ଏହାକୁ ପରିବହନ କରିଥିବା ଲୋକଙ୍କୁ ଏ ବିଷୟରେ ପଚରାଉଚରା କରାଯିବ। ଏତେ ପରିମାଣର ଟଙ୍କା କାହିଁକି ଫ୍ରିଜ୍ ଭିତରେ ଲୁଚାଇ ରଖାଯାଇଥିଲା। ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି।