ଏସ୍‌ସିବିରେ ଖୋଲିବ ଫୁସ୍‌ଫୁସ୍‌ ରୋଗ ଔଷଧୀୟ ପାଠ୍ୟକ୍ରମ

ଭୁବନେଶ୍ୱର, ୪।୭(ବ୍ୟୁରୋ)- କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଫୁସ୍‌ଫୁସ୍‌ ରୋଗ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ପାଠ୍ୟକ୍ରମ ଖୋଲିବ। ଏଥିପାଇଁ ଭାରତୀୟ ମେଡିକାଲ କାଉନ୍‌ସିଲ୍‌ (ଏମ୍‌ସିଆଇ) ଅନୁମତି ପ୍ରଦାନ କରିଛନ୍ତି। ଚଳିତ ୨୦୨୦-୨୧ ଶିକ୍ଷାବର୍ଷରୁ ସୁପର ସ୍ପେଶିଆଲିଟି ବିଭାଗରେ ଏହି ପାଠ୍ୟକ୍ରମ ଖୋଲାଯିବ। ରାଜ୍ୟରେ ଶ୍ୱାସକ୍ରିୟାଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏହି ପାଠ୍ୟକ୍ରମ ମାଇଲ୍‌ଖୁଣ୍ଟ ହେବ। ଦେଶରେ ଫୁସ୍‌ଫୁସ୍‌ ରୋଗ ଚିକିତ୍ସା ପାଇଁ ଔଷଧୀୟ ପାଠ୍ୟକ୍ରମ ପ୍ରଚଳନରେ ଏସ୍‌ସିବି ୧୦ମ ଅନୁଷ୍ଠାନ ହୋଇଥିବାବେଳେ ପୂର୍ବ ଭାରତରେ ଏପରି ଅନୁମତି ପାଇବାରେ ପ୍ରଥମ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପାଠ୍ୟକ୍ରମ ଖୋଲିବା ଫଳରେ ସମସ୍ତ ପ୍ରକାର ଫୁସ୍‌ଫୁସ୍‌ଜନିତ ରୋଗର ଚିକିତ୍ସା ନିମନ୍ତେ ମାର୍ଗ ପ୍ରଶସ୍ତ ହେବ। ଏଥିସହ ଏହି ରୋଗର ନିଦାନ ଓ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ଉପକରଣ ତଥା ଯନ୍ତ୍ରପାତି ମଧ୍ୟ ଉପଲବ୍ଧ ହେବ। ଏସ୍‌ସିବି ମେଡିକାଲ କଲେଜର ଉତ୍କର୍ଷ କେନ୍ଦ୍ର ଅଧୀନରେ ଏହି ପାଠ୍ୟକ୍ରମ ପରିଚାଳିତ ହେବ ଏବଂ ଆଗକୁ ପାରାମେଡିକାଲ କୋର୍ସ ମଧ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।