ଶ୍ରମିକ ବଦଳରେ ମେଶିନ କରୁଛି କାମ

ବାଲିଗୁଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ନିୟମାନୁଯାୟୀ, ଏଠି ଶ୍ରମିକ କାମ କରିବା କଥା କିନ୍ତୁ ଶ୍ରମିକଙ୍କ ବଦଳରେ କାମ କରୁଛି ଜେସିବି ମେଶିନ। ସେପଟେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ସୂଚନାଫଳକ ଲାଗିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକର ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଂସ୍ଥା ଦ୍ୱାରା ବାରଖମା ଅଞ୍ଚଳର ୧୦ ଜଣ ହିତାଧିକାରୀଙ୍କ ନାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟର କାର୍ଯ୍ୟାଦେଶ ହୋଇଥିଲା। କିନ୍ତୁ କାର୍ଯ୍ୟାଦେଶ ନାମକୁମାତ୍ର। ହିତାଧିକାରୀଙ୍କ ବଦଳରେ ଏଠାରେ କାମ କରୁଛନ୍ତି ଠିକାଦାର ତାହା ପୁଣି ଜେସିବି ମେଶିନ ଦ୍ବାରା। ଘଟଣା ସମ୍ପର୍କରେ ବାଲିଗୁଡ଼ା ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରିଣୀଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଅନ୍ୟପକ୍ଷରେ ଏହି ଘଟଣାର ତୀବ୍ର ବିରୋଧ କରିଛନ୍ତି ଲୋକେ। କାର୍ଯ୍ୟାଦେଶ ବାତିଲ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Share