ମାଟିରେ ମିଶିଲା ମାଫିଆଙ୍କ ଘର

ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧାରେ ଡ୍ରଗ୍ସ କାରବାର ମୂଳପୋଛ କରିବାକୁ ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ସହରର ତିନୋଟି ସ୍ଥାନରେ ୩ ଡ୍ରଗ୍ସ ମାଫିଆଙ୍କ ଘର ଭାଙ୍ଗିଛି ପ୍ରଶାସନ। ସହରର ଡମ ସାହି, ଭାଲିଆବାଡି, ଗୁରୁଜଙ୍ଗ ତିନୋଟି ସ୍ଥାନରେ ଜେସିବି ସାହାଯ୍ୟରେ ସରକାରୀ ଜାଗାରେ ବେଆଇନ ଭାବେ ଗଢ଼ି ଉଠିଥିବା ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି।
ପ୍ରକାଶଯୋଗ୍ୟ, ପୂର୍ବରୁ ଦୁଇ ବର୍ଷ ତଳେ ଗୁରୁଜଙ୍ଗ ଅଞ୍ଚଳର ବ୍ରାଉନସୁଗାର ମାଫିଆଙ୍କ ଘରକୁ ପ୍ରଶାସନ ପକ୍ଷରୁ ମାଟିରେ ମିଶାଇ ଦିଆଯାଇଥିଲା। ଭଳିଆ ବାଡ଼ିର ସୋମନାଥ ବରାଡ଼, ଗୁରୁଜଙ୍ଗର ନନ୍ଦ କିଶୋର ସାହୁ ଏବଂ ଡମସାହି ର ସଂଗ୍ରାମ ସାମନ୍ତରାୟଙ୍କ ଘରକୁ ଜେସିବି ସାହାଯ୍ୟରେ ମାଟିରେ ମିଶାଇଛି ଜିଲା ପ୍ରଶାସନ। ବ୍ରାଉନସୁଗାର ମାମଲାରେ ଧରା ପଡ଼ି ଜେଲରେ ଅଛନ୍ତି ଏହି ୩ ମାଫିଆ। ବୁଧବାର ମଧ୍ୟାହ୍ନରେ ପ୍ରଥମେ ଡମସାହି ପରେ ଭାଲିଆବାଡ଼ି ଶେଷରେ ଗୁରୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରି ଘର ଭାଙ୍ଗିଥିଲେ। ଜିଲାପାଳଙ୍କ ସମେତ ଏସ୍‌ପି ସିଦ୍ଧାର୍ଥ କାଟ୍ଟାରିଆ, ତହସିଲଦାର ଇପ୍‌ସିତ ସାହୁ, ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଥିଲା। ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବେଆଇନ ଭାବେ ସରକାରୀ ଜାଗାକୁ ଜବରଦଖଲ କରି ନିଶା କାରବାର ଚଳାଇଲେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।

Share