Categories: ଜାତୀୟ

ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା ସୟେଦ କାଲ୍‌ବେ ଜାଓ୍ବାଦଙ୍କୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ସାରା ଦେଶ ପାଇଁ ଏକ ସାଧାରଣ ନିର୍ଦ୍ଦେଶନାମା କିପରି ଦିଆଯିବ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ମହରମ ଶୋଭାଯାତ୍ରା ପାଇଁ ସାଧାରଣ ନିର୍ଦ୍ଦେଶନାମା ଜାରି ହେଲେ ଅରାଜକତା ଦେଖାଦେବ। କରୋନା ସଂକ୍ରମଣ ବୃଦ୍ଧି ପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ସେପରି ହେବାକୁ ଆମେ ଚାହୁଁନାହୁଁ। ଏକ ଅଦାଲତ ଭାବେ ଆମେ ସମସ୍ତ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆଣିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ପିଟିଶନର ଶୁଣାଣି ହୋଇଥିଲା। ଓଡ଼ିଶାରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ଅଦାଲତ ଜୁନ୍‌ରେ ଅନୁମତି ଦେଇଥିବାରୁ ମହରମ ଶୋଭାଯାତ୍ରା ଲାଗି ଅନୁରୂପ ଅନୁମତି ମିଳିବା ଆବଶ୍ୟକ ବୋଲି ଆବେଦନକାରୀ ଜାଓ୍ବାଦ ଯୁକ୍ତି ବାଢ଼ିଥିଲେ। ଏହାର ଜବାବରେ ପ୍ରଧାନ ବିଚାରପତି କହିଥିଲେ, ପୁରୀ ଜଗନ୍ନାଥ ରଥଯାତ୍ରା ଗୋଟିଏ ସ୍ଥାନରେ ଓ ଗୋଟିଏ ରାସ୍ତାରେ ହେବାର ଥିଲା। ସେଥିପାଇଁ କୋଭିଡ୍‌ କଟକଣା ସହ ରଥଯାତ୍ରା କରିବା ଲାଗି ଅନୁମତି ଅଦାଲତ ଅନୁମତି ଦେଇଥିଲେ। ଏଠାରେ ତୁମେ ସାରା ଦେଶ ପାଇଁ ଅନୁମତି ଚାହୁଁଛ। ସମସ୍ତଙ୍କ ସ୍ବାସ୍ଥ୍ୟର ଦାୟିତ୍ୱ ଆମେ ନେଇପାରିବୁ ନାହିଁ ବୋଲି ଖଣ୍ଡପୀଠ କହିବା ସହ ପିଟିଶନ ଫେରାଇନେବାକୁ ଅନୁମତି ଦେଇଥିଲେ। କେବଳ ଲକ୍ଷ୍ନୌରେ ମହରମ ଶୋଭାଯାତ୍ରା ପାଇଁ ପିଟିଶନର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ କହିଥିଲେ।

Share