ଝିକିଝିକି ଗଣହତ୍ୟା ମାମଲା: ଆଖିବୁଜିଲେ ବିଚାରାଧୀନ ମୁଖ୍ୟ ଅଭିଯୁକ୍ତ, ୪ ଜଣଙ୍କୁ ମାରି ଜେଲ୍‌ ଯାଇଥିଲେ

ବରଗଡ଼ ଅଫିସ,୭ା୬: ବରଗଡ଼ ଜିଲା ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଗତ ମେ’ ୨୩ରେ ସଂଘଟିତ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ବାଗ୍‌(୫୮)ଙ୍କ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ବରଗଡ଼ ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ସେ ଥିବାବେଳେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଜେଲ୍‌ କର୍ମଚାରୀମାନେ ତାଙ୍କୁ ସ୍ଥାନୀୟ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଜିଲା ମୁଖ୍ୟ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ତାଙ୍କ ମୃତଦେହ ରଖାଯାଇଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିିଛି।

ତେବେ ଏ ସମ୍ପର୍କରେ ସବ୍‌ଜେଲ ସୁପରିଟେଣ୍ଡେଣ୍ଟ ପୁନିରାମ ବାଗ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ମେ’୨୪ରୁ ମୃତ ଶିବ ସବ୍‌ଜେଲରେ ରହି ଆସୁଥିଲେ। ସବଜେଲର ଓ୍ବାର୍ଡ଼ ନଂ-୬ରେ ସେ ରହୁଥିଲେ। ବୁଧବାର ସକାଳେ ତାଙ୍କର ପରିସ୍ରା ହେଉ ନ ଥିବା କହିଥିଲେ। ଫଳରେ ଜେଲ୍‌ କର୍ମଚାରୀମାନେ ତାଙ୍କୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ ବୋଲି  ସୁପରିଟେଣ୍ଡେଣ୍ଟ କହିଛନ୍ତି।

ପ୍ରକାଶ ଯେ, ଗତ ମେ’ ୨୨ରେ ଜମିଜମା ବିବାଦ ତଥା ପୂର୍ବଶତ୍ରୁତାରୁ ଅଭିଯୁକ୍ତ ଶିବ ତାଙ୍କ ସ୍ତ୍ରୀ ପାର୍ବତୀ(୫୦), ପୁଅ ନକୁଳ(୨୭)ଙ୍କ ସହିତ ମିଶି ଗ୍ରାମର ଗୁରୁଦେବ, ସ୍ତ୍ରୀ ଶିବାଗ୍ରୀ(୪୦), ପୁଅ ଚୂଡ଼ାମଣିି(୧୫) ଏବଂ ଝିଅ ଶ୍ରାବଣୀ(୧୦)ଙ୍କୁ ନିର୍ମମ ହତ୍ୟା କରିଥିଲେ। ଘଟଣାର ପରଦିନ ପୋଲିସ ମୃତଦେହ ଜବତ ସହିତ ଭଟଲି ଥାନାରେ ୧୧୮/୨୩ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଶିବ, ସ୍ତ୍ରୀ ପାର୍ବତୀ ଏବଂ ପୁଅ ନକୁଳଙ୍କୁ ଗିରଫ କରିଥିଲା ଏବଂ ୨୪ରେ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବରଗଡ଼ ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା।