Categories: ଜାତୀୟ

ଆସିଲା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟର ଫଳାଫଳ, ଜଣାପଡିଲାକି ସତ୍ୟତା

କୋଲକାତା,୨୬।୮: କୋଲକାତାର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ପଲିଗ୍ରାଫ ଟେଷ୍ଟ ସରିଛି। ସଞ୍ଜୟ ପଲିଗ୍ରାଫ ଟେଷ୍ଟରେ ସେହି ‘ଦୁର୍ଭାଗ୍ୟଜନକ’ ରାତିର ଅନ୍ଧକାର ସତ୍ୟକୁ ସ୍ବୀକାର କରିଛନ୍ତି। ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ପରୀକ୍ଷା ରବିବାର ସାରେ କୋଲକାତା ପ୍ରେସିଡେନ୍ସି ଜେଲରେ ଶେଷ ହୋଇଥିଲା। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋର୍ଟରେ ବିଚାରପତିଙ୍କ ଆଗରେ କାନ୍ଦୁଥିବା ବେଳେ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ପଲିଗ୍ରାଫ ପରୀକ୍ଷଣରେ ମଧ୍ୟ ସମାନ ଫଳାଫଳ ଆସିଛି। ସୂଚନାନୁସାରେ, ସଞ୍ଜୟ ରୟ ତାଙ୍କ ଲାଇ ଡିଟେକ୍ଟର ଟେଷ୍ଟରେ ଦାବି କରିଛନ୍ତି ଯେ ସେ ସେମିନାର ହଲରେ ପହଞ୍ଚିବା ବେଳକୁ ପୀଡିତାଙ୍କ ମୃତ୍ୟୁ ହୋଇ ସାରିଥିଲା। ବଳାତ୍କାର ଓ ହତ୍ୟା ମାମଲାରେ ନିର୍ଦ୍ଦୋଷ ଦାବି କରିବାର କିଛି ଦିନ ପରେ ସଞ୍ଜୟ ରୟଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ସିବିଆଇ ତାଙ୍କୁ ଅନେକ ପ୍ରମାଣ ସହିତ ସାମ୍ନା କରିଥିଲା ଏବଂ ସେ ଅନେକ ବାହାନା ଦେଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ସଞ୍ଜୟ ଦାବି କରିଛନ୍ତି ଯେ ଯେତେବେଳେ ସେ ହଲରେ ପହଞ୍ଚି ପୀଡ଼ିତାଙ୍କୁ ଦେଖିଲେ, ସେ ତା’ପୂର୍ବରୁ ମରସାରିଥିଲେ। ସେ ମଦ୍ୟପାନ କରିଥିଲେ ତେଣୁ ସେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ଲାଇ ଡିଟେକ୍ଟର ଟେଷ୍ଟ କରାଯାଇଛି। ସିବିଆଇର ଉପସ୍ଥିତିରେ କରାଯାଇଥିବା ପରୀକ୍ଷାରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଜୟଙ୍କ ପରୀକ୍ଷା ସମ୍ପର୍କରେ ସିବିଆଇରୁ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ। ଜେଲରେ ଉପସ୍ଥିତ ଥିବା ସିବିଆଇ ଅଧିକାରୀମାନେ ପରୀକ୍ଷା ସମୟରେ ତାଙ୍କୁ ପ୍ରାୟ ୨୦ଟି ପ୍ରଶ୍ନ ପଚାରିଥିଲେ ବୋଲି ଜଣାପଡିଛି।
ଏହା ବ୍ୟତୀତ କୋଲକାତା ପୋଲିସର ସୂଚନାନୁସାରେ, ଅପରାଧ ପରେ ସଞ୍ଜୟ ରୟ ବଳାତ୍କାର ଓ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ପ୍ରକାଶ ଥାଉକି, ନିକଟରେ ସେ ତାଙ୍କ ବିବୃତ୍ତିରୁ ଏକ ୟୁ-ଟର୍ନ ନେଇଥିଲେ ଏବଂ ଦାବି କରିଥିଲେ ଯେ ସେ ଏକ ଗଭୀର ଷଡ଼ଯନ୍ତ୍ରରେ ଫସି ଯାଇଛନ୍ତି ଏବଂ ସେ ନିର୍ଦ୍ଦୋଷ। ସଞ୍ଜୟ ରୟ ଜେଲର ଗାର୍ଡଙ୍କୁ କହିଥିଲେ ଯେ ସେ ବଳାତ୍କାର ଓ ହତ୍ୟା ବିଷୟରେ କିଛି ଜାଣି ନାହାଁନ୍ତି। ସେ ଗତ ଶୁକ୍ରବାର ସିୟଲଦାର ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସିଜେଏମ) ଙ୍କ କୋର୍ଟରେ ଦେଇଥିବା ସମାନ ବିବୃତ୍ତିରେ ନିଜକୁ ନିର୍ଦ୍ଦୋଷ କହିବା ସହ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ କୌଣସି ଡାକ୍ତରୀ ପରୀକ୍ଷା ପାଇଁ ସମ୍ମତି ପ୍ରଦାନ କରିଥିଲେ।
ସଞ୍ଜୟ ରୟ ୨୦୧୯ରୁ ଆରଜି କର ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେ ସିଭଲ ଡିଫେନ୍ସ ଭଲେଣ୍ଟିୟର ଭାବରେ କୋଲକାତା ପୋଲିସ ସହିତ ସକ୍ରିୟ ଥିଲେ। ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଘୋଷଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ଅନୁସନ୍ଧାନ ମଧ୍ୟରେ ଯେତେବେଳେ ଠୋସ ପ୍ରମାଣ ବିଷୟରେ ପଚରାଗଲା, ସିବିଆଇ ଅଧିକାରୀ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି – ଏହି ମାମଲାରେ ବହୁତ କିଛି ଅଛି …।

Share