Categories: ଜାତୀୟ

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ ଭଙ୍ଗ କରିଛନ୍ତି। ନଭେମ୍ବର ୩୦ରେ ରାଜ୍ୟର ୧୧୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। କଂଗ୍ରେସକୁ ୬୪ ଆସନରେ ସଫଳତା ମିଳିଥିବାରୁ ସର୍ବପୁରାତନ ଦଳ ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ତେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ନେତା ପ୍ରମୁଖ ଦାବିଦାର ଥିବା କୁହାଯାଉଛି।
ତେଲଙ୍ଗାନା କଂଗ୍ରେସ ସଭାପତି ରୂପେ ୫୪ ବର୍ଷୀୟ ଏ. ରେଭନ୍ଥ ରେଡ୍ଡୀଙ୍କ ସାଙ୍ଗଠନିକ ଦକ୍ଷତା ଓ ନିଆରା କାର୍ଯ୍ୟଶୈଳୀ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଦୁର୍ଗର ପତନ ଘଟାଇବାରେ ସକ୍ଷମ ହୋଇଛି। କଂଗ୍ରେସ ତାଙ୍କୁ ବିଆର୍‌ଏସ୍‌ ମୁଖ୍ୟ ତଥା ବିଦାୟୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। କାମାରେଡ୍ଡୀ ଆସନରେ ଉଭୟ କେସିଆର୍‌ ଏବଂ ରେଭନ୍ଥ ଭାଜପାର ଭେଙ୍କଟ ରମଣ ରେଡ୍ଡୀଙ୍କଠାରୁ ହାରିଯାଇଛନ୍ତି। ଏହା ସତ୍ତ୍ୱେ ରେଭନ୍ଥ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି। ସେହିପରି ବରିଷ୍ଠ ବିଧାୟକ ମାଲ୍ଲୁ ଭଟ୍ଟି ବିକ୍ରମାର୍କା(୬୨) ଓ ପୂର୍ବତନ ପିସିସି ସଭାପତି ଉତ୍ତମ କୁମାର ରେଡ୍ଡୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। କଂଗ୍ରେସ ହାଇକମାଣ୍ଡ ଖୁବ୍‌ଶୀଘ୍ର ଜଣଙ୍କ ନାମରେ ମୋହର ଲଗାଇବେ ବୋଲି କୁହାଯାଉଛି।

Share