Advertisement
Categories: ଅନୁଗୋଳ

ଖୋଲିଲା ମେଡିକାଲ ମୁଖ୍ୟ ଫାଟକ

ଅନୁଗୋଳ ଅଫିସ, ୯।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ୨୩ ଦିନ ପରେ ବୁଧବାର ଖୋଲିଛି। ମୁଖ୍ୟ ଫାଟକ ଛାତ ମରାମତି ପରେ ଖୋଲା ଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଫାଟକ ଖୋଲିବା ପରେ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ ସେହି ଫାଟକ ଦେଇ ଯାତାୟାତ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଗତ ମେ ୧୫ ତାରିଖ ଅପରାହ୍ନରେ ମେଡିକାଲ ମୁଖ୍ୟ ଫାଟକ ଛାତରୁ ବଡ଼ ଆକାରର ପଲସ୍ତରା ଖସିଥିଲା। ଏହାପରେ ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରାଯାଇଥିଲା। ତେବେ ସେଠାରେ ସୁରକ୍ଷା କର୍ମୀ ମୁତୟନ କରାଯାଇ ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ମେଡିକାଲ ଫାଟକରେ ତାଲା ଦେଖି ହତାଶ ହେଉଥିଲେ। ମେଡିକାଲ ମଧ୍ୟକୁ ଯିବାକୁ ଅନ୍ୟ କେଉଁଠି ବାଟ ରହିଛି ତାହା ଜାଣିପାରୁ ନ ଥିଲେ। ତେବେ ମରାମତି କାର୍ଯ୍ୟ ସରିବା ପରେ ଏହାକୁ ନିରୀକ୍ଷଣରେ ରଖାଯାଇଥିଲା। ପୌର ନିର୍ବାହୀଯନ୍ତ୍ରୀ ରବିନ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶ୍ୟାମଘନ ତ୍ରିପାଠୀ, ଟିଡି ବିଭୂତି ଭୂଷଣ ମହାରଣା ବୁଧବାର ସ୍ଥିତି ଅନୁଧ୍ୟାନ କରିବା ପରେ ଫାଟକ ଖୋଲାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel