Categories: ଅନୁଗୋଳ

ଖସିଲା ମୁଖ୍ୟ ଫାଟକ ଛାତ ପଲସ୍ତରା

ଅନୁଗୋଳ ଅଫିସ, ୧୬।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଛାତରୁ ରବିବାର ବଡ଼ ଆକାରର ସିମେଣ୍ଟ ପଲସ୍ତରା ଖସିପଡ଼ିଛି। ଉକ୍ତ ଫାଟକ ଦେଇ ଏକ ରୋଗୀ ଥିବା ଆମ୍ବୁଲାନ୍ସ ମେଡିକାଲ ଭିତରକୁ ଯିବାର କେଇ ସେକେଣ୍ଡ ପରେ ଉକ୍ତ ପଲସ୍ତରା ଖସିଥିବା ଦେଖାଯାଇଥିଲା। ଏହି ଘଟଣା ପରେ ମେଡିକାଲ କର୍ତ୍ତୃପକ୍ଷ ମୁଖ୍ୟ ଫାଟକରେ ତାଲା ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଅନୁଗୋଳ ପୌରପାଳିକା ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱରେ ସଞ୍ଜୀବନୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେଡିକାଲର ମୁଖ୍ୟ ଫାଟକ ଉପର ଭାଗରେ ମଧ୍ୟ ଗୃହ ନିର୍ମାଣ କରାଯାଇ ଭଡ଼ା ଦିଆଗଲା। ଏହାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ଏପରି କି ମେଡିକାଲ ଗସ୍ତରେ ବିଭିନ୍ନ ସମୟରେ ଆସିଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସଚିବ ପ୍ରମୁଖ ଉକ୍ତ ଫାଟକ ଉପରୁ ଦୋକାନ ହଟାଇବାକୁ ପରାମର୍ଶ ଦେଇଥିଲେ। ୨୦୧୬-୧୭ରେ ଏହି ମୁଖ୍ୟ ଫାଟକ ଉପରେ ଥିବା ଦୋକାନ ଘର ଓ ତଳ ଛାତ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ନାହିଁ କି ପୌରପାଳିକାକୁ ଏଥିପାଇଁ ସୁପାରିସ କଲେନାହିଁ। ଫଳରେ ଛାତ ଭଙ୍ଗାଯିବା ପରିବର୍ତ୍ତେ ମରାମତି କରିଦିଆଗଲା। ରବିବାର ଛାତରୁ ବଡ଼ ଧରଣର ପଲସ୍ତରା ଖସିଥିବାରୁ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ ଥିବାବେଳେ ପୌର କର୍ତ୍ତୃପକ୍ଷ କହିଛନ୍ତି, ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ସ୍ଥାନୀୟ ଲୋକେ କହିଛନ୍ତି, ମେଡିକାଲରେ ଦୁଇ ଜଣ ପରିଚାଳକ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଯଦି ଛାତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି, ତା’ହେଲେ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରିବାକୁ କାହିଁକି ପ୍ରଶାସନକୁ ଅବଗତ କରିନାହାନ୍ତି। ତେବେ ମୁଖ୍ୟ ଫାଟକ ବିପଦପୂର୍ଣ୍ଣ ଥିବାରୁ ତାହାକୁ ବନ୍ଦ କରାଯାଇଥିବା ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।