ଜି.ଉଦୟଗିରି,୨୫।୪(ଡି.ଏନ.ଏ.): ପାନୀୟ ଜଳ ଯୋଗାଣ ବିଭାଗର ଖାମଖିଆଲ ନୀତି ଯୋଗୁ ଜି.ଉଦୟଗିରି ସହରର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ପାନୀୟ ଜଳ ଯୋଗାଣ ପାଇଁ ସହରରେ ବିଛା ଯାଇଥିଲା ପାଇପ୍। ଏହାର କାମ ସରିଲାଣି। କିନ୍ତୁ ଖୋଳିଥିବା ରାସ୍ତାକୁ ମରାମତି କରିବାକୁ ଭୁଲିଗଲା ଠିକା କମ୍ପାନୀ। ଫଳରେ ସହରର ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଏପରି ସମସ୍ୟା। ଦୀର୍ଘ ୪ ମାସ ବିତିଯାଇଥିଲେ ମଧ୍ୟ ଏବେବି ସେମିତି ରାସ୍ତା ଉପରେ ପଡ଼ିରହିଛି ମେଟାଲ। ଏଥିପାଇଁ ଦୁର୍ଘଟଣା ହେଉଥିବା ବେଳେ ସାଧାରଣ ଜନତା ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ଟ୍ରାଫିକ ସମସ୍ୟା ଉପୁଜୁଛି। ପୂର୍ତ୍ତ ବିଭାଗ ଓ ସହର ପାନୀୟ ଜଳ ବିଭାଗ ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।