ମାଲଗୋଦାମ ବେପାର ସମୟ ବଦଳିଲା

କଟକ ଅଫିସ,୫ା୮-ମାଲଗୋଦାମରେ ବେପାର ସମୟରେ ପରିବର୍ତ୍ତନ ହୋଇଛି। ବ୍ୟବସାୟୀ ସଂଘ ନିଷ୍ପତ୍ତି ପରେ କଟକ ମହାନଗର ନିଗମ (ସିଏମ୍‌ସି) ବୁଧବାର ଏନେଇ ବିଜ୍ଞପ୍ତି ଜାରି କରିଛି। ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନ ସକାଳ ୭ରୁ ପୂର୍ବାହ୍ନ ୧୦ଟା ଯାଏ ଖୋଲା ରହିବ। ହୋଲ୍‌ସେଲ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବାହ୍ନ ୧୦ରୁ ଅପରାହ୍ନ ୨ଟା ଏବଂ ରିଟେଲ୍‌ ଦୋକାନ ଅପରାହ୍ନ ୨ରୁ ରାତି ୮ଟା ଯାଏ ଖୋଲିବ। ପ୍ରତ୍ୟେକ ସପ୍ତାହର ବୁଧବାର ମାଲଗୋଦାମ ସଂପୂର୍ଣ୍ଣ ବନ୍ଦ ରହିବ। ମାଲ୍‌ଗୋଦାମ ନିକଟ ବେହେରାସାହିରୁ ଲଗାତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କହିଛି। ଅପରପକ୍ଷେ ମଙ୍ଗଳବାର କଟକ ଚାମ୍ବର ଅଫ୍‌ କମର୍ସ ନେତୃତ୍ୱରେ ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘ ଓ ଖୁଚୁରା ବ୍ୟବସାୟୀ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା। ବେହେରାସାହି ଓ ତେଲୁଗୁ ବସ୍ତିରେ ସଂକ୍ରମଣ ବଢୁଥିବା ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା, ଗ୍ରାହକ, ଦୋକାନୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ଦୋକାନ ଭିତରକୁ ଗ୍ରାହକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।