କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି

ପୁଣେ,୪।୭: ଦେଶରେ କରୋନା ଭାଇରସ୍‌ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ତେଣୁ ଛୋଟରୁ ବଡ଼ ଯାଏ ସମସ୍ତେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି। ଏଥିଯୋଗୁ ମାସ୍କର ଚାହିଦା ବୃଦ୍ଧି ପାଇଥିବା ବେଳେ ଏବେ ମାର୍କେଟରେ ବିଭିନ୍ନ ପ୍ରକାରର ମାସ୍କ ଉପଲ୍ଲବ୍ଧ ହେଉଛି। ଇତିମଧ୍ୟରେ ଜଣେ ବ୍ୟକ୍ତି କରୋନାରୁ ରକ୍ଷା ପାଇବା ପାଇଁ ସୁନାର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ପୁଣେ ଜିଲାର ପିମ୍ପରି-ଚିଞ୍ଚୱାଡାରେ ରହୁଥିବା ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାକୁ ଆସିଛନ୍ତି।ସେ ପିନ୍ଧୁଥିବା ମାସ୍କର ଦାମ୍‌ର କେତେ ଜାଣିଛନ୍ତି କି? ଏହି ମାସ୍କର ଦାମ୍‌ ହେଉଛି ୨ଲକ୍ଷ ୮୯ ହଜାର ଟଙ୍କା।

ମାସ୍କଟି ସମ୍ପୂର୍ଣ୍ଣ ଭାବରେ ସୁନାରେ ତିଆରି ହୋଇଥିବା ବେଳେ ନିଃଶ୍ୱାସ ନେବା ପାଇଁ ସେଥିରେ ଛୋଟ ଛୋଟ କଣା ମଧ୍ୟ ରହିଛି। ପୁଣେ ଜିଲାରେ ଶଙ୍କର ଗୋଲଡେନ ମ୍ୟାନ ନାମରେ ବେଶ୍‌ ପରିଚିତ। ସୁନାର ଅଳଙ୍କାର ପିନ୍ଧିବାକୁ ଶଙ୍କର ବେଶ୍‌ ପସନ୍ଦ କରନ୍ତି। ଏଥିପାଇଁ ସବୁବେଳେ ସେ ହାତ, ବେକରେ କିଲୋ କିଲୋ କିଲୋ ଲେଖାଏଁ ଓଜନର ସୁନାର ଆଭୂଷଣରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳେ। ତେବେ ଶଙ୍କର ଏହି ମାସ୍କ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଛି। ଅନ୍ୟପଟେ ଏହି ମାସ୍କକୁ ନେଇ କେତେଜଣଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହି କ୍ରମରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମିଲ ରହିଛି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଶଙ୍କରଙ୍କ ସୁନା ମାସ୍କ ପିନ୍ଧିଥିବାର ଏକ ଫଟୋକୁ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ଯେତେବେଳେ ବୁଦ୍ଧିଠାରୁ ଅଧିକ ଟଙ୍କା ଥାଏ,ସେତେବେଳେ ଏଭଳି ଘଟିଥାଏ।

Share