ଅନିଲ କୁମାର ବିଶ୍ୱାଳ
ରାଜ୍ୟରେ ଦୁଇ ମାସ ଧରି ଚାଲୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ତୃଣମୂଳ ସ୍ତରର ଅଥଚ ବହୁ ଗୁରୁତ୍ୱ ବହନ କରୁଥିବା ପଞ୍ଚାୟତ ଓ ସହରାଞ୍ଚଳର ନିର୍ବାଚନ ଫଳାଫଳ ଆସିଗଲାଣି। ଏକ ମାସ ତଳେ ଗାଁର ଭୋଟରମାନଙ୍କର ଶାସକ ଦଳ ପ୍ରତି ଏକପାଖିଆ ଭାବରେ ସମର୍ଥନର ଯେଉଁ ଜନାଦେଶ ଆସିଥିଲା ଏବେ ସହରାଞ୍ଚଳ ଭୋଟରମାନଙ୍କର ଜନାଦେଶ ମଧ୍ୟ ସେହି ସମାନ କଥା କହୁଛି। ଯଦିଓ ପଞ୍ଚାୟତ ଭଳି ଅତି ବିପୁଳ ସଫଳତା ବିଜୁ ଜନତା ଦଳ ପାଇନାହିଁ ତଥାପି ବି ଯେତିକି ପୌରାଞ୍ଚଳରେ ଅଧ୍ୟକ୍ଷ ପଦ ସେମାନେ ପାଉଛନ୍ତି ତାହାକୁ ଏକତରଫା ହିଁ କୁହାଯିବ। ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ସମସ୍ତ ୩୦ଟି ଯାକ ଜିଲା ପରିଷଦ ଆସନରେ ଅଧ୍ୟକ୍ଷ ପଦ ହାତେଇଥିଲା। ଜନମତ ଦଳ ସପକ୍ଷରେ ଏତେ ଏକତରଫା ଥିଲା ଯେ ଅନେକ ଜିଲାରେ ଯେଉଁଠି ବିରୋଧୀ ଦଳ ହାତରେ ୨୦୧୭ରେ ଜିଲାପରିଷଦ ଅଧ୍ୟକ୍ଷ ପଦ ଥିଲା ସେଠାରେ ସେମାନେ ଖାତା ଖୋଲିପାରିଲେ ନାହିଁ। ସେହିପରି କିଛି ହାତଗଣତି ସ୍ଥାନକୁ ଛାଡ଼ିଦଲେ ବାକି ସବୁଠାରେ ଶାସକ ଦଳ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ମଧ୍ୟ ଜିତିଥିଲା। ପୌର ନିର୍ବାଚନରେ ଯାହା ଫଳାଫଳ ଆସିଛି ବିଜେଡି ୭୨ଟି ସ୍ଥାନରେ ନିଗମ/ପରିଷଦର ଅଧ୍ୟକ୍ଷ ଜିତୁଥିବା ବେଳେ ବିରୋଧୀ ଭାଜପା ୧୭ଟି ଆସନରେ, କଂଗ୍ରେସ ୭ଟି ଆସନରେ ଜିତୁଛି। ଯଦିଓ ଏହା ବିରୋଧୀମାନଙ୍କ ପାଇଁ ଟିକିଏ ଆଶ୍ୱସ୍ତିକର ଯେ ପଞ୍ଚାୟତର ଲଜ୍ଜାଜନକ ପରାଭବରୁ ସେମାନେ ରକ୍ଷା ପାଇଯାଇଛନ୍ତି, ହେଲେବି ଏହା ସେପରି କିଛି ବହୁତ ଭଲ ଖବର ନୁହେଁ। କାରଣ ସହରାଞ୍ଚଳର ଭୋଟର ସଂଖ୍ୟା ହେଉଛି ମାତ୍ର ୪୪ଲକ୍ଷ ( ୧୩% )। ଓଡ଼ିଶା ଭଳି ଗ୍ରାମୀଣ ରାଜ୍ୟରେ ମାତ୍ର ୧୨ଟି ବିଧାନସଭାରେ ଏହି ସହରୀ ଭୋଟରଙ୍କର ବିଧାନସଭା ନିର୍ବାଚନ ଫଳାଫଳ ନିର୍ଣ୍ଣୟରେ ଭୂମିକା ରହିଥାଏ।
ଏହି ଦୁଇ ନିର୍ବାଚନରେ ସାରା ଓଡ଼ିଶାର ଲୋକମାନେ ଭୋଟ ଦେବାର ସୁଯୋଗ ପାଇଥିଲେ। ତେଣୁ କୁହାଯାଇପାରେ ଯେ ୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ପ୍ରକାରର ସେମିଫାଇନାଲ ମ୍ୟାଚ ଥିଲା, ଯାହାକୁ ବିଜୁ ଜନତା ଦଳ ଅତ୍ୟନ୍ତ ସହଜରେ, ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ଜିତିଯାଇଛି। ଅବଶ୍ୟ ଚଳିତ ନିର୍ବାଚନରେ ବ୍ୟାପକ ହିଂସା, ଅର୍ଥ ବଣ୍ଟା ଦେଖିବାକୁ ମିଳୁଥିଲା। ଯାହା ଓଡ଼ିଶାର ରାଜନୈତିକ ଚରିତ୍ରଠାରୁ ଟିକିଏ ଅଲଗାଥିଲା। ଦେଶର ଅନ୍ୟ କିଛି ରାଜ୍ୟରେ ନିର୍ବାଚନ ସମୟରେ ଯେଭଳି ବ୍ୟାପକ ହିଂସା ହୁଏ ସେଭଳି ଓଡ଼ିଶାରେ ଦେଖାଯାଏ ନାହିଁ। ହେଲେ ଏବେ ନିର୍ବାଚନରେ ବ୍ୟାପକ ହିଂସା ଦେଖିବାକୁ ମିଳୁଛି। ସେହିଭଳି ପୌର ନିର୍ବାଚନରେ ଭୋଟର ତାଲିକାରେ ଅତ୍ୟଧିକ ତ୍ରୁଟି କାରଣରୁ ଅନେକ ଲୋକ ଭୋଟ ନ ଦେଇ ପାରିବା ମଧ୍ୟ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଯାହା ନିର୍ବାଚନ କମିଶନରଙ୍କର ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ପାଇଁ ବାଧ୍ୟ କରୁଛି। ଏହି ନିର୍ବାଚନ ଫଳାଫଳର ଯେଉଁ ମନସ୍ତାତ୍ତ୍ୱିକ ଦିଗଟି ରହୁଛି ତାହା ହେଉଛି ଏହା ଶାସକ ଦଳର ମନୋବଳକୁ ଆଗାମୀ ସମୟରେ ଆହୁରି ସୁଦୃଢ଼ କରିବାକୁ ଯାଉଥିବା ବେଳେ ବିରୋଧୀ ଦଳର ମନୋବଳ ଉପରେ ଏକ ଶକ୍ତ ଆଘାତ ଦେଇଛି। ଆଉ ଯେଉଁ ଦିଗଟି ବେଶି ସ୍ପଷ୍ଟତାର ସହିତ ଦେଖାଦେଇଛି ତାହା ହେଉଛି ବିଜୁ ଜନତା ଦଳର କ୍ୟାଡର ଭୋଟ ବଢ଼ିଛି, ବିରୋଧୀମାନେ କ୍ୟାଡର ଭୋଟ ହରାଇଛନ୍ତି। ଗଣତନ୍ତ୍ରରେ କେହି ଅପରାଜେୟ ନୁହନ୍ତି, କିନ୍ତୁ ବିଜେଡି ଯେଉଁଭଳି ଭାବରେ ଅପରାଜେୟ ହୋଇ ରହିଆସିଛି ତାହା ଦେଶରେ ଏକ ଚମକପ୍ରଦ ଘଟଣା।
ବାରମ୍ବାର ଏକତରଫା ବିଜୟ ପଛରେ କେବଳ ବିଜୁ ଜନତା ଦଳର ଉତ୍ତମ ରଣନୀତି ଓ ନେତୃତ୍ୱର ଭୂମିକା ଯେ ଅଛି ତାହା ନୁହେଁ ବରଂ ଆଉ କିଛି ଉପାଦାନ ମଧ୍ୟ ରହିଛି। ପ୍ରଥମ କଥା ହେଉଛି ଦୁଇଟି ଯାକ ନିର୍ବାଚନ (ଉଭୟ ପଞ୍ଚାୟତ ଓ ପୌର) ପ୍ରସଙ୍ଗ ବିହିନ ଥିଲା। ଯେତେବେଳେ କୌଣସି ନିର୍ବାଚନ ବିନା ପ୍ରସଙ୍ଗରେ ଲଢ଼ାଯାଏ ସେତେବେଳେ ତାହା ଶାସକ ଦଳକୁ ସୁହାଇଥାଏ। ଶାସକ ଦଳମାନେ ସବୁବେଳେ ଚାହାନ୍ତି ଯେ ନିର୍ବାଚନରେ ସରକାରଙ୍କୁ ଅଡୁଆରେ ପକାଇଲା ଭଳି କୌଣସି ପ୍ରସଙ୍ଗ ନ ଆସୁ ଯାହା ଚଳିତ ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନରେ ଘଟିଲା। ବିରୋଧୀମାନେ ବିଫଳ ହେଲେ ସରକାରୀ ଦଳକୁ ଅଡୁଆରେ ପକାଇବା ଭଳି ପ୍ରସଙ୍ଗକୁ ନିର୍ବାଚନରେ ପ୍ରସଙ୍ଗ କରିବା ପାଇଁ। ମହିଳା ବିରୋଧୀ ହିଂସା, ଆଇନ ଶୃଙ୍ଖଳା ଭଳି ଅନେକ ସାମ୍ପ୍ରତିକ ପ୍ରସଙ୍ଗ ସହିତ ଲୋକମାନଙ୍କର ନିତିଦିନିଆ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ ଭାବରେ ଓଡ଼ିଶାରେ ରହିଆସିଛି। ପଞ୍ଚାୟତ ନିର୍ବାଚନ ବେଳେ ଆମେ ଦେଖିଛେ ଲୋକମାନେ ନିଜ ମୁହଁରେ ବଖାଣୁଥିଲେ କିପରି ସେମାନେ ପକ୍କାଘର ପାଇନାହାନ୍ତି, ଭତ୍ତା ମିଳୁନି, ପିଇବା ପାଣି ମିଳୁନି, ରାସ୍ତା ନାହିଁ ଏମିତି କେତେ କ’ଣ। ସହରାଞ୍ଚଳରେ ମଧ୍ୟ ସମସ୍ୟାର ଲମ୍ବା ତାଲିକା ଥିଲା। ହେଲେ କେଜାଣି କାହିଁକି ସେସବୁକୁ ବିରୋଧୀମାନେ ଧରିପାରିଲେ ନାହିଁ। ଯେଉଁ କିଛି ଅଳ୍ପ ଅଳ୍ପ ସ୍ବର ମଝିରେ ମଝିରେ ବାହାରୁଥିଲା ତାହା ଲୋକଙ୍କୁ ଛୁଇଁଲା ନାହିଁ। ନିର୍ବାଚନରେ ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରାର୍ଥୀମାନେ ଗମ୍ଭୀରତାର ସହିତ ଲଢୁଛନ୍ତି କି ନାହିଁ। କାରଣ ଭୋଟର ସବୁବେଳେ ପରଖେ ବାସ୍ତବରେ କେଉଁ ଦଳ ମଇଦାନରେ ଆନ୍ତରିକତାର ସହିତ ଲଢୁଛି। ତୃଣମୁଳ ସ୍ତରରେ ସରକାରୀ ଦଳ ବିରୋଧରେ ହାଓ୍ବା ଥିଲା। ହେଲେ ତାହା ଭୋଟରେ ପରିବର୍ତ୍ତିତ ହୋଇପାରିଲା ନାହିଁ, ଏହାକୁ ନେଇ ଉଭୟ କଂଗ୍ରେସ ଓ ଭାଜପାକୁ ଗଭୀର ଭାବରେ ଆତ୍ମସମୀକ୍ଷା କରିବାର ସମୟ ଆସିଛି।
ପଞ୍ଚାୟତ ନିର୍ବାଚନରେ ବିଜେଡି ୫୨% ଭୋଟ ପାଇଲା। ୨୦୧୯ରେ ସେମାନେ ପାଇଥିଲେ ୪୫%। ବର୍ତ୍ତମାନ ଆମେ ଯଦି ସମୀକରଣକୁ ବିଜେଡି ଓ ବିଜେଡିର ବିରୋଧୀ ଭୋଟ ଆକାରରେ ଦେଖିବା ତା’ହେଲେ ଗୋଟିଏ କଥା ଦେଖିବାକୁ ମିଳୁଛି ବିଜେଡି ବିରୋଧୀ ଭୋଟ ସଂଖ୍ୟା ଦିନକୁ ଦିନ କମୁଛି। ଏହା ୨୦୦୯ରେ ଥିଲା ୬୨% ଯାହା କମି ୪୮%ରେ ପହଞ୍ଚିିଗଲାଣି। ଏବେ ଓଡ଼ିଶାରେ ଭୋଟିଂର ଯେଉଁ ଟ୍ରେଣ୍ଡ ଚାଲିଛି, ସେଥିରେ ଓଡ଼ିଶାରେ ଦୁଇଟି ବିରୋଧୀ ଦଳ ରହିବା ବିଜୁ ଜନତା ଦଳର ଜିତିବା ସହଜ କରୁଛି। କନ୍ତୁ ହୁଏତ ଯଦି ନିର୍ବାଚନ ମଇଦାନରେ ଗୋଟିଏ ବିରୋଧୀ ଦଳ ରହନ୍ତା ତା’ହେଲେ ବିଜୁ ଜନତା ଦଳ ପାଇଁ ଜିତିବା ଏତେ ସହଜ ହୁଅନ୍ତା ନାହିଁ। ବିଜୁ ଜନତା ଦଳ ପାଇଁ ଆଉ ଏକ ମଙ୍ଗଳମୟ ହେଉଛି ଯେ ଦୁଇଟି ଯାକ ବିରୋଧୀ ଦଳ ହେଉଛି ଜାତୀୟ ରାଜନୈତିକ ଦଳ, ପାରମ୍ପରିକ ଓ ବୈଚାରିକ ବିରୋଧୀ। ସେମାନେ କେବେ ନିର୍ବାଚନରୁ ଓହରିବେନି କି ସେମାନଙ୍କ ମଧ୍ୟରେ କେବେ ମେଣ୍ଟ ହେବାର ନାହିଁ। ଏବେ ବିଜୁ ଜନତା ଦଳ ପାଖରେ ଯାହା କ୍ୟାଡର ଭୋଟ ଅଛି, ତ୍ରିମୁଖୀ ଲଢ଼େଇରେ ସେହି କ୍ୟାଡର ଭୋଟରେ ଜିତିବା ପାଇଁ ତାଙ୍କ ପାଇଁ ଯଥେଷ୍ଟ ଓ ଅତି ସହଜ। କିନ୍ତୁ ଯଦି ଦ୍ୱିପାକ୍ଷିକ ଲଢ଼େଇ ହୁଏ ତା’ହେଲେ ସେମାନଙ୍କ ପାଇଁ ଜିତିବା ହୁଏତ କଷ୍ଟ ହୋଇପାରେ। ଉଦାହରଣ ସ୍ବରୂପ ପୁରୀ ଜିଲାର ସତ୍ୟବାଦୀ, ଖୋର୍ଦ୍ଧାର ଚିଲିକା। ସେହି ଜିଲାରେ ଆଉ କେଉଁଠି ବିଜେଡି ହାରିଲା ନାହିଁ କିନ୍ତୁ ସେଠାରେ ହାରିଥିଲା। ଏହାର କାରଣ ହେଉଛି ଦୁଇଟିଯାକ ଅଞ୍ଚଳରେ ଭାଜପା ଓ ବିଜେଡିର ଲଢ଼େଇ ହେଉଥିଲା, କଂଗ୍ରେସ ସୁପ୍ତ ଥିଲା। ସେହିପରି କୋରାପୁଟରେ କଂଗ୍ରେସ ଭଲ ପଦର୍ଶନ କରିବାର କାରଣ ମଧ୍ୟ ସମାନ।
ସରକାରୀ ଦଳ ସପକ୍ଷରେ ଜନମତ ଯିବାର ଆଉ ଏକ ବଡ କାରଣ ହେଉଛି ଯେତେବେଳେ ବି କେଉଁ ରାଜ୍ୟରେ ବା ଦେଶରେ ସରକାରୀ ବିରୋଧୀ ଜନମତ ଆସିଥାଏ ତାହା ପ୍ରାୟତଃ କୌଣସି ଗୋଷ୍ଠୀ ପାଖରୁ ଆସିଥାଏ। ତାହା ଯୁବଗୋଷ୍ଠୀ ହୁଅନ୍ତୁ କି ମହିଳା ହୁଅନ୍ତୁ କି ଚାଷୀ ଅବା ଅନ୍ୟ କିଛି। ହେଲେ ଓଡ଼ିଶାରେ ବିରୋଧୀ ଦଳମାନେ ସେହି ଗୋଷ୍ଠୀମାନଙ୍କ ଭିତରେ ପହଞ୍ଚିପାରନ୍ତି ନାହିଁ। ଓଡ଼ିଶାରେ ଯୁବଗୋଷ୍ଠୀମାନଙ୍କର ସରକାରୀ ବିରୋଧରେ ଜନ ଆକ୍ରୋଶ ଥିଲେ ବି ତାହା ପ୍ରତିଫଳିତ ହେଉ ନାହିଁ। ଏହାର କାରଣ ବିରୋଧୀ ଦଳମାନଙ୍କର ଯୁବଗୋଷ୍ଠୀମାନଙ୍କ ଭିତରେ ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ। ସେହି ସମାନ କଥା ମହିଳାଙ୍କ କ୍ଷେତ୍ରରେ। ଆଉ ଏକ ବଡ଼ ରାଜନୈତିକ ବିଷୟ ହେଲା ଏହି ଭିତରେ ବିଜୁ ଜନତା ଦଳର ସାଙ୍ଗଠାନିକ ଢାଞ୍ଚାରେ ଅନେକ ଯୁବ ନେତୃତ୍ୱ, ନୂଆ ମୁହଁଙ୍କୁ ରାଜନୀତିରେ ସୁଯୋଗ ଦିଆଯାଇଛି। ସେମାନେ ଏବେ ବଡ଼ ମାଧ୍ୟମ ସାଜଛନ୍ତି ସରକାରୀ ଦଳ ସହିତ ଯୁବଗୋଷ୍ଠୀଙ୍କୁ ବାନ୍ଧି ରଖିବାରେ।
ଶାସକ ଏବଂ ବିରୋଧୀ ହେଉଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ଲୋକମାନଙ୍କର ଦୁଇ ଆଖି ଭଳି। ବିରୋଧୀ ଦଳମାନଙ୍କର ମୁଖ୍ୟ ଭୂମିକା ହେଉଛି ସରକାରଙ୍କ ଦୋଷ ତ୍ରୁଟିକୁ ନେଇ ପ୍ରଶ୍ନ କରିବା ଏବଂ ସେମାନଙ୍କୁ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ କରାଇବା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀମାନେ ସବୁବେଳେ ସେମାନଙ୍କର ଉପସ୍ଥିତି ରଖିବା ଦରକାର। ନ ହେଲେ ସରକାର ମନମୋଟିଆ, ଏକଚ୍ଛତ୍ରବାଦୀ ହୋଇଯିବେ। ଗଣତାନ୍ତ୍ରିକ ବ୍ୟବସ୍ଥାର ଅନ୍ୟତମ ଜଣାଶୁଣା ବ୍ୟାଖ୍ୟାକାର ତଥା ନ୍ୟୁଜିଲାଣ୍ଡର ନେତା ଡନ୍ ବ୍ରାଶଙ୍କ ଭାଷାରେ, ‘ବିରୋଧୀ ଦଳର ଅର୍ଥ ହେଉଛି ବିକଳ୍ପ ସରକାର।’ ହେଲେ ଏହି ଜନାଦେଶ ଯେଉଁଭଳି ଭାବରେ ବିରୋଧୀଙ୍କୁ ଧରାଶାୟୀ କରିଛି ତାହା ନିଶ୍ଚିତ ଭାବରେ ତୃଣମୂଳ ସ୍ତରର ଶାସନ ବ୍ୟବସ୍ଥାରେ ବିରୋଧୀଙ୍କର ସ୍ବରକୁ ଦୁର୍ବଳ କରିବ, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ।
ହରିରାଜପୁର, ପୁରୀ