ଆମ୍ବ ସ୍ବାଦ ବରକୋଳିରେ ନାହିଁ

ଡିସେମ୍ବର ୧୨ ସକାଳୁ ଖବର ମିଳିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି। ସେହି ହ୍ୟାକ୍‌ର ଦୁଷ୍ଟ ଲେଖା ଦର୍ଶାଇଲା ଯେ, ସତେ ଯେମିତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡ୍‌ଲରେ ଘୋଷଣା କରିଛନ୍ତି, ‘ଭାରତ ସରକାରୀ ଭାବେ ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ଭାବେ ପ୍ରଚଳନ କରିଛି। ସରକାର ୫୦୦ ବିଟ୍‌କଏନ୍‌ କିଣି ଦେଶବାସୀଙ୍କ ମଧ୍ୟରେ ବାଣ୍ଟୁଛନ୍ତି।
ଜଲ୍‌ଦି କର।
ଭବିଷ୍ୟତ ଆଜି ଆସିଗଲାଣି।’
ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ଟୁଇଟର ହ୍ୟାଣ୍ଡଲ୍‌ରୁ କୁହାଗଲା, ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ଏବେ ସୁରକ୍ଷିତ କରିଦିଆଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ଟୁଇଟର କମ୍ପାନୀର ସହାୟତା ଲୋଡ଼ାଯାଇ ମୋଦିଙ୍କ ବ୍ୟକ୍ତିଗତ ହ୍ୟାଣ୍ଡ୍‌ଲକୁ କେହି ଜଣେ ଦୁର୍ବୃତ୍ତ (ହ୍ୟାକର) ଦୁଷ୍ଟାମି କରି ଏକ ପିଲାଳିଆ ବାର୍ତ୍ତା ପକାଇଛନ୍ତି। ଏଠାରେ ପିଲାଳିଆମି ଏଇଥିପାଇଁ କୁହାଯିବ, କାରଣ ସେହି ହ୍ୟାକର ଇଚ୍ଛା କରିଥିଲେ ଏକ ଭୟାବହ ସ୍ଥିତି ସୃଷ୍ଟି କରିଦେଇଥାଆନ୍ତେ। ଉଦାହରଣ ସ୍ବରୂପ, ଚାଇନା ସହ ଯୁଦ୍ଧ ଘୋଷଣା ଭଳି ଆପତ୍ତିଜନକ ବାର୍ତ୍ତା ଲେଖି ଦିଆଯାଇପାରିଥାଆନ୍ତା। ଏଥିରୁ ପ୍ରମାଣିତ ହେଉଛି ଯେ, କେହି ଜଣେ ହ୍ୟାକର ଏଭଳି ପଦକ୍ଷେପ ନେଇପାରିଲେ ତାହା ଦେଶର ସୁରକ୍ଷାକୁ ବିପଦରେ ପକାଇପାରେ। କୌତୂହଳ କଥା ହେଲା, ନିକଟରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ ଟୁଇଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ପରାଗ ସେହି କମ୍ପାନୀର ଚିଫ୍‌ ଟେକ୍‌ନିକାଲ ଅଫିସର ବା ମୁଖ୍ୟ ବୈଷୟିକ ଅଧିକାରୀ (ସିଟିଓ) ଭାବେ କାର୍ଯ୍ୟ କରିଆସୁଥିଲେ। ଶୁଣିବାକୁ ମିଳୁଥିଲା ଯେ, ଟୁଇଟର ସିଇଓ ପରାଗଙ୍କ ଆଗମନ ଯୋଗୁ ଟୁଇଟର ଅଧିକ ସୁରକ୍ଷିତ ହୋଇଯିବ। ତେବେ ଏହି ସମୟରେ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହେବା ଦେଶ ପାଇଁ ଚିନ୍ତାର ବିଷୟ। ତେବେ ୫୦୦ ବିଟ୍‌କଏନ୍‌ର ଅର୍ଥ ଅନେକ ହଜାର କୋଟି ଟଙ୍କା। ଏହି ବାର୍ତ୍ତା ମାଧ୍ୟମରେ ମୋଦିଙ୍କ କଳାଧନ ଫେରାଇ ଆଣିବାର ପ୍ରତିଶ୍ରୁତି, ଯାହା ଦ୍ୱାରା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବା ସମ୍ପର୍କରେ ମନେପକାଇ ଦିଆଯାଇଛି।
ଏଠାରେ ଅନ୍ୟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉଲ୍ଲେଖ କରିବା ଉଚିତ ମନେକରୁଛୁ। ନିକଟ ଅତୀତକୁ ଦେଖିଲେ, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଉଚ୍ଚ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସାମ୍ବାଦିକ ସମ୍ମିଳନୀ କରୁନାହାନ୍ତି। ପୂର୍ବରୁ ସବୁବେଳେ ମୁହଁାମୁହିଁ ପ୍ରଶ୍ନ-ଉତ୍ତର ଦିଆନିଆ ହେବା ଫଳରେ ଅନେକ ତଥ୍ୟ ସମ୍ପର୍କରେ ଦେଶବାସୀ ସ୍ପଷ୍ଟ ଜାଣିପାରୁଥିଲେ। ଏବେ ସେଭଳି କୌଣସି ସାମ୍ବାଦିକ ସମ୍ମିଳନୀ ହେଉ ନ ଥିବାରୁ ଟୁଇଟର ଭଳି ସୋସିଆଲ ମିଡିଆ ହୋଇଯାଇଛି ଏକତରଫା ବାର୍ତ୍ତା ଦେବାର ମାଧ୍ୟମ। ଏବେ ବାର୍ତ୍ତାଳାପ ବୋଇଲେ କିଛି ନାହିଁ। ସେଥିଯୋଗୁ ହ୍ୟାକିଂ ଦ୍ୱାରା ଅତ୍ୟଧିକ କ୍ଷତି ଘଟିବା ସମ୍ଭାବନା ବୃଦ୍ଧି ପାଉଛି।
ଭାରତ ପ୍ରଯୁକ୍ତିବିଦ୍ୟାରେ ବହୁତ ଆଗେଇପାରିଛି ବୋଲି ଦାବି କରାଯାଉଛି। ଏହାର ସର୍ବାଧିକ ଲାଭ ଏହି ଦେଶର ସରକାର ଉଠାଉଥିବେ ବୋଲି ବିଶ୍ୱାସ କରିବା ସ୍ବାଭାବିକ। ବାସ୍ତବ କ୍ଷେତ୍ରରେ ଅନ୍‌ଲାଇନ୍‌ କାର୍ଯ୍ୟ କେବେହେଲେ ଅତ୍ୟଧିକ ମାତ୍ରାରେ ସୁରକ୍ଷିତ ରହିପାରିବ ନାହିଁ। ଇସ୍ରାଏଲ ଦ୍ୱାରା ନିର୍ମିତ ପେଗାସସ୍‌ ଗୋଇନ୍ଦା ସଫ୍ଟଓ୍ବେର ଏକ ବ୍ୟବସାୟିକ ଧନ୍ଦା ଭାବେ ପରିଚିତ ହୋଇଗଲାଣି। ଭାରତ ସରକାର ମଧ୍ୟ ଏହି କମ୍ପାନୀ ସାହାଯ୍ୟରେ ନିଜ ନାଗରିକଙ୍କ ଉପରେ କଡ଼ା ନଜର ରଖୁଥିବା କଥା ଜଣାପଡ଼ିଛି। ପେଗାସସ୍‌ର ମୁଖ୍ୟ କାର୍ଯ୍ୟ ହେଲା ପ୍ରତ୍ୟେକ ନାଗରିକର ବ୍ୟକ୍ତିଗତ ତଥ୍ୟ ଯୋଗାଡ଼ କରିବା। ସେଥିନିମନ୍ତେ ସବୁ ପାସ୍‌ଓ୍ବାର୍ଡ ଏବଂ ଡିଜିଟାଲ ବିଶ୍ୱରେ ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିବା। ଏହିଭଳି କାର୍ଯ୍ୟ ଫେସ୍‌ବୁକ୍‌, ଗୁଗୁଲ ଓ ଆପଲ୍‌ ଭଳି ବିଖ୍ୟାତ କମ୍ପାନୀ ସହ ଅନେକ ଅଜଣା ସଂସ୍ଥା ମଧ୍ୟ କରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, କୌଣସି ଅନ୍‌ଲାଇନ୍‌ ବା ଇଣ୍ଟରନେଟ୍‌ ଉପରେ ଆଧାରିତ କାର୍ଯ୍ୟ କେବେହେଲେ ସମ୍ପୂର୍ଣ୍ଣ ଗୋପନୀୟ ରହିପାରିବ ନାହିଁ। ପେଗାସସ୍‌ ଆହୁରି ମଧ୍ୟ ପ୍ରମାଣ କରୁଛି ଯେ, କେବଳ ସରକାରୀ ପୋଲିସ ନୁହେଁ, ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ସାଧାରଣ ନାଗରିକଙ୍କ ସବୁ ତଥ୍ୟ ନେବାକୁ ଅଗ୍ରହୀ। ଏଭଳି ବାତାବରଣରେ ଆଜିର ଭାରତ ସରକାର ସବୁବେଳେ କହିଆସୁଛନ୍ତି ଯେ, ଭବିଷ୍ୟତ ପାଇଁ ଭାରତ ଡିଜିଟାଲମୁହଁା ହେବା ଦରକାର। ବାରମ୍ବାର କୁହାଯାଉଛି ଯେ, ନାଗରିକର ଟିକସ (ପାନ୍‌) କାର୍ଡକୁ ଆଧାର କାର୍ଡ ସଙ୍ଗେ ସଂଯୋଗ କର। ଆଧାରକୁ ବ୍ୟାଙ୍କ୍‌ ଆକାଉଣ୍ଟ ସହ ସଂଯୋଗ କର। ରନ୍ଧନ ଗ୍ୟାସ୍‌ କିଣିବାକୁ ହେଲେ ତାହାକୁ ମଧ୍ୟ ଆଧାର ସହିତ ସଂଯୋଗ କର। ଏହାକୁ ଏତେ ଦୂରକୁ ଟାଣି ନିଆଯାଉଛି ଯେ, ପିଲାଙ୍କ ପଢ଼ା ଲାଗି ନାମଲେଖା ସମୟରୁ ଆଧାର ନମ୍ବର ଦେବାକୁ ବାଧ୍ୟ କରାଯାଉଛି। କେବଳ ବାଧ୍ୟ କରାଯାଉ ନାହିଁ, ପ୍ରତ୍ୟେକ ଦିନ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ସମଗ୍ର ଜୀବନକୁ ଆଧାର ସହିତ ଯୋଡ଼ି ଦେବା ସକାଶେ ପ୍ରୟାସ ଚାଲିଛି। ଏହାର ବିପଦ ଅଧିକାଂଶ ଭାରତୀୟ ବୁଝିବାକୁ ନାରାଜ। ଯେଉଁମାନେ ବୁଝୁଛନ୍ତି, ସେମାନେ ରାଜନୈତିକ ଚିନ୍ତାଧାରା ଯୋଗୁ ଏହି ତ୍ରୁଟିକୁ ସମର୍ଥନ କରୁଛନ୍ତି। ମଝିରେ ଦିନାକାତେ ଟୁଇଟର ଏବଂ ଫେସ୍‌ବୁକ୍‌ ଭଳି କମ୍ପାନୀ ଉପରେ ଭାରତ ସରକାର ଚାପ ପକାଇ କହୁଥିଲା ଯେ, ପ୍ରତ୍ୟେକ ସୋସିଆଲ ମିଡିଆ ବ୍ୟବହାରକାରୀର ଆକାଉଣ୍ଟ ଖୋଲିବା ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯାଉ। ଏହି ଚାପର ବଶବର୍ତ୍ତୀ ହେବା ପରିବର୍ତ୍ତେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ତାହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ମନେପଡ଼େ ଟୁଇଟରର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଉପରେ ପୋଲିସ ଚଢ଼ାଉ କରି କେନ୍ଦ୍ର ସରକାରର କୋପ ଦର୍ଶାଇବା ଘଟଣା। ସେହି ଚଢ଼ାଉର କୌଣସି ଫଳ ମିଳିଥିବା ବିଷୟ ଆଜି ପର୍ଯ୍ୟନ୍ତ ସରକାର ଘୋଷଣା କରିନାହାନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଅଫିସ ଟୁଇଟରରୁ ଜଣାପଡ଼ିଛି ଯେ, ଭାରତ ସରକାର ସେହି ଟୁଇଟର କମ୍ପାନୀର ଦ୍ୱାରସ୍ଥ ହୋଇ ମୋଦିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ହ୍ୟାକିଂ ବିଷୟରେ ଗୁହାରି କରିଛନ୍ତି। ଅବଶ୍ୟ ସରକାରୀ ପ୍ରୋତ୍ସାହନରେ ଭାରତର ଟୁଇଟରର ପ୍ରତିରୂପ ଭାବେ ଏକ ଭିନ୍ନ କମ୍ପାନୀକୁ ବଢ଼ାଇବାକୁ ଚେଷ୍ଟା କରାଯାଇଛି। କିନ୍ତୁ ଆମ୍ବର ସ୍ବାଦ କେବେହେଲେ ବରକୋଳିରେ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri